ତିହାର ଜେଲରୁ ଗ୍ୟାଙ୍ଗ୍‌ଷ୍ଟରମାନେ କେମିତି ଅପରାଧର ଷଡ଼୍‌ଯନ୍ତ୍ର ରଚୁଛନ୍ତି

ନୂଆଦିଲ୍ଲୀ : ତିହାର ଜେଲ ହେଉଛି ଦକ୍ଷିଣ ଏସିଆର ବୃହତ୍ତମ ଜେଲ ଏବଂ ଭାରତର ଅନ୍ୟତମ ସବୁଠୁ ନିରାପଦ ଜେଲ। ଏଥିରେ ୧୭,୫୦୦ରୁ ଅଧିକ କଏଦୀ ଅଛନ୍ତି। ଏଥିରେ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା ଅଛି ଏବଂ ବହୁ ହାଇ-ପ୍ରୋଫାଇଲ ଅନ୍ତେବାସୀ ଏଠାରେ ଅଛନ୍ତି। ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା, ସିସିଟିଭି କ୍ୟାମେରା, କମ୍ପ୍ୟୁଟରୀକୃତ କଏଦୀ ପରିଚାଳନା, ମୋବାଇଲ ଜାମର, ଏକ୍ସରେ ସ୍କାନର, ମେଟାଲ ‌ଡିଟେକ୍ଟର ଓ ତ୍ବରିତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ପରି ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଏହି ଜେଲକୁ ଏକ ଆଦର୍ଶ ଜେଲ ବୋଲି କୁହାଯାଉଛି। କିନ୍ତୁ ଏତେ ସୁରକ୍ଷା ଓ ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥା ସତ୍ତ୍ବେ ଭୁଲ୍ କାରଣ ପାଇଁ ତିହାର ଜେଲ ଏବେ ଚର୍ଚ୍ଚିତ।

ନିକଟରେ ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ‌ମୁସେୱାଲାଙ୍କ ହତ୍ୟା ଷଡ଼୍‌ଯନ୍ତ୍ର କୁଆଡ଼େ ତିହାର ଜେଲ ଭିତରେ କରାଯାଇଥିଲା। ଏବେ ମୁସେୱାଲାଙ୍କ ହତ୍ୟା ପାଇଁ କାନାଡ଼ାରେ ରହୁଥିବା ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ୍ ଓ ଗୋଲ୍‌ଡି ବ୍ରାର ନିଜକୁ ଦାୟୀ କରିଛନ୍ତି। ଲରେନ୍ସ ବିଷ୍ଣୋଇ ଏବେ ତିହାର ଜେଲ ନଂ ୮ରେ ରହୁଛି। କିଛିଦିନ ତଳେ ଶାହରୁଖ ନାମକ ଜଣେ ସନ୍ଦିଗ୍ଧକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ସେ କାନାଡ଼ାର ଗ୍ୟାଙ୍ଗ୍‌ଷ୍ଟର ଗୋଲ୍‌ଡି ବ୍ରାର ସହ ଯୋଗସୂତ୍ର ରଖିବା ପାଇଁ ଏକ ମେସେଜିଂ ଆପ୍ ବ୍ୟବହାର କରୁଥିଲା। ରିପୋର୍ଟ ଅନୁସାରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ମୁସେୱାଲାଙ୍କ ହତ୍ୟା ମାମଲାରେ ବିଷ୍ଣୋଇ ଓ ତା’ର ସହଯୋଗୀ କାଲା ଜାଠେଡି ଓ କାଲା ରାଣାକୁ ଜେରା କରୁଛି। ଗତ ମାର୍ଚ୍ଚ ମାସରେ ଜେଲରେ ଥିବା ଗ୍ୟାଙ୍ଗ୍‌ଷ୍ଟର ସୁନୀଲ ଓରଫ ଟିଲୁ ତାଜପୁରିଆର ସହଯୋଗୀ ଶେଖର ରାଣା ଓରଫ ସନ୍ନତକୁ ରୋହିଣୀଠାରେ ପୂର୍ବରୁ ନିହତ ଗ୍ୟାଙ୍ଗ୍‌ଷ୍ଟର ଜିତେନ୍ଦ୍ର ଗୋଗି ଗୋଷ୍ଠୀର ଲୋକ ଦ୍ବାରା ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ତଦନ୍ତରୁ ଜାଣିପାରିଥିଲା ଯେ ଏହି ହତ୍ୟାକାଣ୍ଡର ଚେର ତିହାର ଜେଲ ଯାଏ ଲମ୍ବିଛି। ଟିଲୁ ଓ ଗୋଗି ଗୋଷ୍ଠୀ ଭିତରେ ଥିବା ଶତ୍ରୁତା ଏହି ହତ୍ୟାର କାରଣ।

ତେବେ ପ୍ରଶ୍ନ ଉଠୁଛି ତିହାର ଜେଲ ଭିତରେ ଥାଇ ଅପରାଧୀମାନେ କିପରି ଜେଲ ବାହାରେ ଅପରାଧର ‌ଷଡ଼୍‌ଯନ୍ତ୍ର ରଚିପାରୁଛନ୍ତି। ତେଣୁ ମୋବାଇଲ ଜାମର ଓ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠୁଛି। ଏଥିରେ ଜେଲ ଅଧିକାରୀମାନଙ୍କ ଅନୁମୋଦନ ଥିବା ଅଭିଯୋଗ କରାଯାଉଛି। ତିହାର ଜେଲ ଭିତରେ ମୋବାଇଲ ଫୋନ୍‌କୁ ନିଷିଦ୍ଧ କରାଯାଇଛି। ଯଦି କିଏ ବ୍ୟବହାର କରନ୍ତି ତାହାକୁ ମୋବାଇଲ ଜାମର ବାଧା ଦେବା କଥା। ଅର୍ଥାତ୍ କେହି କଏଦୀ ମୋବାଇଲ ଫୋନ୍ ରଖିଲେ ତା’ ପାଖରେ ସିଗ୍ନାଲ ହିଁ ପହଞ୍ଚିବ ନାହିଁ। କିନ୍ତୁ ତଥାପି ଜେଲରେ ଫୋନ୍ ବ୍ୟବହାର ହେଉଛି, ଅର୍ଥାତ୍ ଏହା ପଛରେ ଜେଲ ଅଧିକାରୀଙ୍କ ହାତ ଥିବା ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର