ଜମ୍ମୁରେ ହିଜ୍‌ବୁଲ୍‌ର ଆକ୍ରମଣ: ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ମୃତ, ୩୨ ଆହତ

ଆକ୍ରମଣକାରୀ ଆତଙ୍କବାଦୀ ଗିରଫ, ବଢ଼ୁଛି ଉତ୍ତେଜନା, ସୁରକ୍ଷା କଡ଼ାକଡ଼ି

ଜମ୍ମୁ: ଜମ୍ମୁ ବସ୍‌ଷ୍ଟାଣ୍ଡରେ ଆଜି ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଦ୍ବାରା ଗ୍ରେନେଡ୍ ଆକ୍ରମଣ ଯୋଗୁଁ ଜଣେ ନାବାଳକ(୧୭ ବର୍ଷ)ଙ୍କର ମୃତ୍ୟୁ ଘଟିଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏହି ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀକୁ ପୁଲିସ ଗିରଫ କରିଛି। ଜମ୍ମୁ କଶ୍ମୀର ଡିଜିପି ଦିଲ୍‌ବାଗ ସିଂହ କହିଛନ୍ତି ଯେ ଏକ ବସ୍‌ ଉପରକୁ ଅଚାନକ ଗ୍ରେନେଡ୍ ଆକ୍ରମଣ କରିଥିବା ଯୁବକକୁ ଗିରଫ କରାଯାଇଛି ଏବଂ ସେ ହିଜ୍‌ବୁଲ ଆତଙ୍କବାଦୀ ୟାସିର୍‌ ଭଟ୍ଟ ବୋଲି ଜଣାପଡ଼ିଛି । କୁଲଗାମ୍‌ର ହିଜ୍‌ବୁଲ ଜିଲ୍ଲା କମାଣ୍ଡର ଫାରୁକ୍‌‌ ଅହମ୍ମଦ ଭଟ୍ଟ ଓରଫ୍‌ ଉମର ଦ୍ବାରା ୟାସିର୍‌କୁ ଗ୍ରେନେଡ ଆକ୍ରମଣ ପାଇଁ ନିୟୋଜିତ କରାଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଆତଙ୍କବାଦୀ ୟାସିର୍‌ ଉମରର ନିର୍ଦ୍ଦେଶ ଅନୁସାରେ ଏହି କାଣ୍ଡ ଘଟାଇଥିବା ସ୍ବୀକାର କରିଛି। ଗ୍ରେନେଡ୍ ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକର ନାମ ମହମ୍ମଦ ସାରିକ୍‌ ବୋଲି ଜଣାପଡ଼ିଛି। ସେ ଉତ୍ତରାଖଣ୍ଡର ହରିଦ୍ବାର ବାସିନ୍ଦା ବୋଲି ଜଣାପଡ଼ିଛି। ଜମ୍ମୁ ବସ୍‌ଷ୍ଟାଣ୍ଡ୍‌କୁ ହିଜବୁଲ୍ ଆତଙ୍କବାଦୀ ଅଚାନକ ଟାର୍ଗେଟ୍‌ କରିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସାଂପ୍ରଦାୟିକ ଉତ୍ତେଜନା ବଢ଼ୁଥିବାରୁ ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗ୍ରେନେଡ୍ ବିସ୍ଫୋରଣ ଯୋଗୁଁ ବସ୍‌ ଭିତରେ ବସିଥିବା ଏବଂ ବାହାରେ ଛିଡ଼ା ହୋଇଥିବା ଲୋକେ ଆହତ ହୋଇଥିଲେ। ଗୁରୁତର ଆହତ ହୋଇଥିବା ସାରିକ୍‌ ହସ୍ପିଟାଲ ନେବା ରାସ୍ତାରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଜମ୍ମୁରେ ହାଇଆଲର୍ଟ ଜାରି ହୋଇଛି। ଆତଙ୍କବାଦୀମାନେ ଅଧିକ ଆକ୍ରମଣ କରିବା ଆଶଙ୍କା କରି ଚଢ଼ଉ ଅଭିଯାନ ମଧ୍ୟ ବ୍ୟାପକ ହୋଇଛି। ୧୪ ଫେବ୍ରୁଆରିରେ ପୁଲୱାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣରେ ୪୧ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଯାଇଥିଲେ। ଏହା ପରଠାରୁ ଅଧିକ ବଡ଼ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ମଉକା ଖୋଜୁଥିବାରୁ ସୁରକ୍ଷା ବାହିନୀ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ସ୍ଥାନୀୟ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ଜୈସ୍‌ ସଂଗଠନ ସହ ହାତ ମିଳାଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର