ଫ୍ଲୋରିଡାରେ ଲ୍ୟାଣ୍ଡ୍‌ଫଲ୍‌ କଲା ବାତ୍ୟା ‘ଇଆନ୍‌’: ବୁଡ଼ିଗଲା କାର୍‌, ଉଡ଼ିଗଲେ ସାମ୍ବାଦିକ, ରାସ୍ତାରେ ଖେଳିଲେ ସାର୍କମାଛ

ପୁଣ୍ଟା ଗର୍ଡା: ଅତି ପ୍ରବଳ ବର୍ଷା ଓ ଗର୍ଜନ କରୁଥିବା ପବନ ନେଇ ବୁଧବାର ଦିନ ବାତ୍ୟା ‘ଇଆନ୍‌’ ‌ଯୁକ୍ତରାଷ୍ଟ୍ର ଆମେରିକା ଫ୍ଲୋରିଡାର ଦକ୍ଷିଣପଶ୍ଚିମ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିଛି।

‘ଦି ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ କହିଛି ଯେ, ଅତ୍ୟନ୍ତ ବିପଜ୍ଜନକ ବାତ୍ୟା ‘ଇଆନ୍‌’ର କେନ୍ଦ୍ରସ୍ଥଳ ଅପରାହ୍ଣ ୩.୦୫ରେ ଫୋର୍ଟ ମାୟାର୍ସ ନଗରୀର ପଶ୍ଚିମ ପ୍ରାନ୍ତରେ ଥିବା କେୟୋ କୋଷ୍ଟା ଦ୍ବୀପରେ ପଡ଼ିଛି।

ଘଣ୍ଟାପ୍ରତି ୨୪୧ କିଲୋମିଟର୍‌ ବେଗରେ ପ୍ରବାହିତ ‘୪ର୍ଥ ବର୍ଗ’ର ବାତ୍ୟା ‘ଇଆନ୍‌’ ସମଗ୍ର ଫ୍ଲୋରିଡା ଉପଦ୍ବୀପରେ ଖଣ୍ଡପ୍ରଳୟ ସୃଷ୍ଟି କରିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଏଯାବତ୍‌ ରେକର୍ଡ ହୋଇଥିବା ମହାବାତ୍ୟା ମଧ୍ୟରୁ ‘ଇଆନ୍‌’ ହେଉଛି ସବୁଠୁ ଶକ୍ତିଶାଳୀ। ବାତ୍ୟାର ଯୋଗୁଁ ବିଜୁଳି ସରବରାହରେ ବ୍ୟାଘାତ ଘଟିବାରୁ ୧.୮ ନିୟୁତ ଲୋକଙ୍କ ଘରୁ ବିଜୁଳି ଚାଲିଯାଇଛି। ତିନୋଟି କାଉଣ୍ଟିର ପ୍ରାୟ ସମସ୍ତ ବାସଭବନ ଓ ବ୍ୟବସାୟ ପ୍ରତିଷ୍ଠାନରେ ବିଜୁଳି ଶକ୍ତି ନାହିଁ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ରିପୋର୍ଟ କରିଛି।

Image Courtesy of India Today

ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରବାହ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଯେ, ଉଭଁରି ଖେଳୁଥିବା ପାଣିରେ ବାଟଘାଟ ବୁଡ଼ିଯିବା ସହ କାର୍‌ ଆଦି ଯାନବାହନ ମଧ୍ୟ ବୁଡ଼ିଯାଇ ପାଣି ସୁଅରେ ଭାସିଯାଉଛି।

ପବନ ମାଡ଼ରେ ସାମ୍ବାଦିକମାନେ ଉଡ଼ିଯାଉଥିବା ଓ ସମୁଦ୍ରରୁ ସାର୍କମାଛ (ହାଙ୍ଗର) ଉଠିଆସି ରାସ୍ତାଘାଟରେ ଚାଲୁଥିବାର ଦୃଶ୍ୟ ମଧ୍ୟ କେତେକ ଭିଡିଓରେ ଦେଖାଯାଉଛି। କେତେକ ସ୍ଥାନରେ ବିଜୁଳି ଟ୍ରାନ୍‌ସ୍‌ଫରର୍ମର ମଧ୍ୟ ଉଡିଯାଉଥିବା ଦେଖାଯାଉଛି।

ସୂଚନାଯୋଗ୍ୟ, ଫ୍ଲୋରିଡାରେ ସ୍ଥଳଭାଗରେ ପଡ଼ିବା ପୂର୍ବରୁ ବାତ୍ୟା ‘ଇଆନ୍‌’ କ୍ୟୁବାକୁ ଛାରଖାର କରିପକାଇବା ସହ ଦେଶର ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମିକା କରିଦେଇଥିଲା।

ଜନସାଧାରଣଙ୍କ ଆଶ୍ବାସନା ଦେଇ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସରକାର ସେ ଅଞ୍ଚଳ ପରିଷ୍କାର ପରିଚ୍ଛନ କରିବା ସହିତ ପୁନଃନିର୍ମାଣ କରି ଫ୍ଲୋରିଡାକୁ ପୁଣି ଚଳଚଞ୍ଚଳ କରିବେ।

ସମ୍ବନ୍ଧିତ ଖବର