ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେବ ଅଗ୍ନି-୫, ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତର ସବୁଠୁ ଶକ୍ତିଶାଳୀ କ୍ଷେପଣାନ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଏହାକୁ ଖୁବଶୀଘ୍ର ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ଅନ୍ତର୍ଭୁକ୍ତ କରାଯିବ । ଏହି କ୍ଷେପଣାସ୍ତ୍ରର ଆଉ ଏକ ପରୀକ୍ଷଣ ପରେ ଏହାକୁ ସେନାର ନ୍ୟୁକ୍ଲିୟର କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ସାମିଲ କରାଯିବ ବୋଲି ସେନା ସୁତ୍ରରୁ ଜଣାପଡିଛି । ଏହି କ୍ଷେପଣାସ୍ତ୍ରର ମାରକ ରେଞ୍ଜ ପ୍ରାୟ ୫ ହଜାର କିଲୋମିଟର ଓ ଏହା ଅଣୁ ଅସ୍ତ୍ରବହନ କରିପାରିବ । ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ସମଗ୍ର ଚୀନ, ୟୁରୋପ, ମଧ୍ୟଏସିଆ ଓ ଆଫ୍ରିକାର କେତେକ ଅଂଚଳ ଆସୁଥିବାରୁ ଏହା ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେଲେ ଭାରତ ଶକ୍ତି ଅନେକ ପରିମାଣରେ ବୃଦ୍ଧି ପାଇବ । ଆଗକୁ ଏହାର କ୍ଷମତାକୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଭାରତ ଯୋଜନା କରୁଥିବାରୁ ଏହାକୁ ନେଇ ଚୀନ ଚିନ୍ତା ପ୍ରକାଶ କରିଛି । ଭାରତ ଅନ୍ତର୍ଜାତୀୟ ମାନଦଣ୍ଡକୁ ଉଲ୍ଲଙ୍ଘନ କରି ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ବୃଦ୍ଧି କରିଚାଲିଛି ବୋଲି ଚୀନର ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଛି ।

ତେବେ ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡ କଣ ? ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡ ନ୍ୟୁକ୍ଲିୟର କମାଣ୍ଡ ଅଥରିଟିର ଅନ୍ତର୍ଭୁକ୍ତ । ଏହି ଅଥରିଟି ହିଁ ଭାରତର ପରମାଣୁ ଆକ୍ରମଣକୁ କାର୍ଯ୍ୟକାରୀ କରିବ । ଯଦି ଯୁଦ୍ଧ ସମୟରେ ପରମାଣୁ ଆକ୍ରମଣ ପାଇଁ ଭାରତ ସରକାର ନିଷ୍ପତ୍ତି ନିଅନ୍ତି , ତାହାକୁ କାର୍ଯ୍ୟକାରୀ କରିବ ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡ । ଶତ୍ରୁ ଦେଶର କେଉଁ ସ୍ଥାନରେ କେଉଁ ସମୟରେ କେଉଁ ଉପାୟରେ (କ୍ଷେପଣାସ୍ତ୍ର ଦ୍ୱାରା ବା ବିମାନ ଦ୍ୱାରା ) ବୋମା ପକାଯିବ ତାହା ଏହି ସଂସ୍ଥା ନିଷ୍ପତ୍ତି ନେବ । ୨୦୦୩ରେ ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ଏବେ ଲେପ୍ଟନାଣ୍ଟ ଜେନେରାଲ ଅମିତ ଶର୍ମା ଭାରତୀୟ ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡ ର କମାଣ୍ଡର ଇନ ଚିଫ ଅଛନ୍ତି ।

ଗତ ରବିବାର ଦିନ ଏହାକୁ ଓଡ଼ିଶାର ହ୍ଵିଲର ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଥିଲା । ସକାଳ ୯ଟା ୪୫ରେ ଏହାକୁ ୪ ନମ୍ବର ଲଞ୍ଚ ପ୍ୟାଡରୁ ଛଡାଯାଇଥିଲା । ପ୍ରକ୍ଷେପଣ ସମୟରେ ସମସ୍ତ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ଷ୍ଟେସନ ଏବଂ ଟେଲିମେଟ୍ରି ଷ୍ଟେସନ ଏହି କ୍ଷେପଣାସ୍ତ୍ରକୁ ଟ୍ରାକ କରିଥିଲେ । ପ୍ରକ୍ଷେପଣର ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇଛି । ଅର୍ଥାତ ପରୀକ୍ଷଣର ସବୁମାନଦଣ୍ଡକୁ ଏହା ପୂରଣ କରିଛି ।

ସମ୍ବନ୍ଧିତ ଖବର