ରୁଷ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ୍ ବନ୍ଦ କରିବା ଉଚିତ୍ : ଆଇସିଜେ

ହେଗ: ଗତ ଫେବ୍ରୁଆରି ୨୪ ତାରିଖରୁ ୟୁକ୍ରେନରେ ରୁଷ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉଚିତ ବୋଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ରାୟ ଦେଇଛନ୍ତି। ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ୍ ପକ୍ଷରୁ ଏହା ବିରୋଧରେ ଆଇସିଜେରେ ଆବେଦନ କରାଯାଇଥିଲା। ଏହାର ବିଚାର କରି ଆଜି ଆଇସିଜେ ରୁଷ ଯୁଦ୍ଧ ବନ୍ଦ କରୁ ବୋଲି ରାୟ ଦେଇଛନ୍ତି।

ଆଇସିଜେଙ୍କ ନିର୍ଦ୍ଦେଶକୁ ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି। ରୁଷିଆ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନରକିବାକୁ ବି ନିର୍ଦ୍ଦେଶରେ କୁହାଯାଇଛି। ଅନ୍ତର୍ଜାତୀୟ ନ୍ୟାୟାଳୟରେ ୧୩-୨ରେ ଏଭଳି ନିଷ୍ପତ୍ତି ନିଆଯାଇ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି।

ୟୁକ୍ରେନ ପକ୍ଷରୁ ଅନ୍ତର୍ଜାତୀୟ କୋର୍ଟରେ ଦାଖଲ କରାଯାଇଥିବା ଏହି ମାମଲାର ବିଚାର କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଯେ, ଏହା ୟୁକ୍ରେନର ବିଜୟ। ଯଦି ରୁଷ ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କରେ ତେବେ ତାକୁ ଏକଘରିକିଆ ହେବାକୁ ପଡିପାରେ ବୋଲି ସେ କହିଛନ୍ତି।

୨୧ ଦିନ ଧରି ଚାଲଥିବା ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିବାବେଳେ ଅନେକ ଲୋକ ମୃତାହତ ହୋଇଛନ୍ତି। ଉଭୟ ଦେଶ ବିପୁଳ କ୍ଷତି ସହିତଥିବାବେଳେ ଯୁଦ୍ଧ ଜାରି ରହିଛି। ଲଗାତର ଭାବେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ତେଣୁ ତୁରନ୍ତ ଏହି ଯୁଦ୍ଧ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର