ଇଟାନଗର: ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲ୍ଲାରେ ପ୍ରବାହିତ କାମେଙ୍ଗ ନଦୀରେ ଶୁକ୍ରବାର ହଠାତ୍ କଳା ଜଳ ବହିବାକୁ ଆରମ୍ଭ କରିବା ପରେ ହଜାର ହଜାର ମାଛ ମରି ଭାସିବାର ଦେଖିବାକୁ ମିଳିଛି। ଏହା ଦେଖି ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିବା ଶନିବାର ଜିଲ୍ଲା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ ହାଲି ତାଜୋ କହିଛନ୍ତି ଯେ ଜଳରେ ସମ୍ପୂର୍ଣ୍ଣ ଦ୍ରବୀଭୂତ ପଦାର୍ଥ (ଟିଡିଏସ୍)ର ପରିମାଣ ମାତ୍ରାଧିକ ହେବା ଯୋଗୁ ଜଳର ରଙ୍ଗ କଳା ପଡ଼ିଯାଇଛି। ପାଣିରେ ଦ୍ରବୀଭୂତ ଅପଦ୍ରବର ପରିମାଣ ଅଧିକ ହେବା ଓ ଅମ୍ଳଜାନ ପରିମାଣ କମ୍ ହେବା ଯୋଗୁ ମାଛମାନଙ୍କ ମୃତ୍ୟୁ ଘଟିଛି। ଏକ ଲିଟର ନଦୀ ଜଳରେ ସମ୍ପୂର୍ଣ୍ଣ ଦ୍ରବୀଭୂତ ପଦାର୍ଥର ପରିମାଣ ୩୦୦ରୁ ୧୨୦୦ ମିଲିଗ୍ରାମ୍ ଭିତରେ ରହିବା କଥା। ମାତ୍ର ଏହି କଳାପାଣିରେ ତାହା ୬,୮୦୦ ମିଲିଗ୍ରାମ୍ ଥିବା ଜଣାପଡ଼ିଛି। ଏହି ମଲା ମାଛ କେହି ନ ଖାଇବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି, କାରଣ ଏହାଦ୍ବାରା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ କାମେଙ୍ଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାମେଙ୍ଗ ନଦୀରୁ କେହି ମାଛ ନ ଧରିବା, ଏହି ମାଛ କେହି ବିକ୍ରି ନ କରିବା ଓ ନ ଖାଇବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର କାର୍ଯ୍ୟକଳାପ ଯୋଗୁ ନଦୀଜଳ ଏପରି ଦୂଷିତ ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାଣି କାହିଁକି କଳା ହେଲା ତାହା ଜାଣିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ଲାଗି ସେପ୍ପା ଇଷ୍ଟ ବିଧାୟକ ତାପୁକ ଟାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅରୁଣାଚଳ ପ୍ରଦେଶ ଇଷ୍ଟର କଂଗ୍ରେସ ଏମ୍ପି ନିନୋଙ୍ଗ ଏରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଚୀନ୍ ୧୦,୦୦୦ କିମି ଟନେଲ ଖୋଳିବା ଯୋଗୁ ଏପରି ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଚୀନ୍ ଅଭିଯୋଗକୁ ଅସ୍ବୀକାର କରିଛି।