ଏକା କାର୍ଯ୍ୟକ୍ରମ ପାଇଁ ହାଇଦ୍ରାବାଦ୍‌ରେ ପୃଥକ୍‌ ଉତ୍ସବର ନେତୃତ୍ବ ନେଲେ ଅମିତ ଶାହ ଓ କେସିଆର୍‌

ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦରେ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ସି.ଆର୍‌. ଦୁଇଟି ପୃଥକ୍‌ ଉତ୍ସବର ନେତୃତ୍ବ ନେଉଛନ୍ତି।

ସୂଚନାଯୋଗ୍ୟ, ଆଜି ଦିନରେ ହାଇଦ୍ରାବାଦ ନିଜାମ୍‌ଙ୍କ ଶାସନରୁ ମୁକ୍ତ ହୋଇ ଭାରତୀୟ ସଂଘ ବା ‘ଇଣ୍ଡିଆନ୍‌ ୟୁନିୟନ୍‌’ରେ ସାମିଲ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ‘ତେଲେଙ୍ଗାନା ନ୍ୟାସ୍‌ନାଲ୍‌ ଇଣ୍ଟିଗ୍ରେସନ୍‌ ଡେ’ ଉତ୍ସବ ପାଳନ କରୁଥିବା ବେଳେ ତାଙ୍କ ଉତ୍ସବସ୍ଥଳୀର ଅଳ୍ପ କେତେ କିଲୋମିଟର୍‌ ଦୂରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉକ୍ତ ଐତିହାସିକ ଘଟଣାକୁ ‘ହାଇଦ୍ରାବାଦ ଲିବରେସନ୍‌ ଡେ’ ନାମକ କାର୍ଯ୍ୟକ୍ରମରେ ପାଳନ କରୁଛନ୍ତି।

ଏହି ଅବସରରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍‌ ନାମପାଲ୍ଲୀସ୍ଥିତ ‘ପବ୍ଲିକ୍‌ ଗାର୍ଡେନ୍‌’ରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ୭ କିଲୋମିଟର୍‌ ଦୂରରେ ଅବସ୍ଥିତ ସିକନ୍ଦରାବାଦ୍‌ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜାତୀୟ ପତାକା ଉତ୍ତୋଳନକରିଛନ୍ତି।

Image Courtesy of News18

ଶୁକ୍ରବାରରୁ ଆରମ୍ଭ ହୋଇଥିବା ‘କେସିଆର୍‌’ଙ୍କ ୩ ଦିବସୀୟ ‘ତେଲେଙ୍ଗାନା ନ୍ୟାସ୍‌ନାଲ୍‌ ଇଣ୍ଟିଗ୍ରେସନ୍‌ ଡେ’ ଅବସରରେ ଛାତ୍ରଛାତ୍ରୀ, ମହିଳା ଓ ଯୁବ ସଙ୍ଗଠନ ନିଜ ନିଜ ନିର୍ବାଚନ ମଣ୍ଡଳୀର ମୁଖ୍ୟାଳୟରେ ରାଲି ଆୟୋଜନ କରିଥିଲେ। ସେମାନେ ଆଜି ନାମପାଲ୍ଲୀର ‘ପବ୍ଲିକ୍‌ ଗାର୍ଡେନ୍‌’ସ୍ଥିତ ‌‘ସେଣ୍ଟ୍ରାଲ୍‌ ଲନ୍‌’ରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେହିଭଳି, ଜିଲ୍ଲା ମୁଖ୍ୟାଳୟମାନଙ୍କରେ ମନ୍ତ୍ରୀମାନେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି।

ସେହିପରି, ‘ହାଇଦ୍ରାବାଦ୍‌ ଲିବରେସନ୍‌ ଡେ’ ନିମନ୍ତେ ଦିନିକିଆ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସର୍ଦାର୍‌ ବଲ୍ଲଭଭାଇ ପଟେଲ୍‌ଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଇଦ୍ରାବାଦ ଭାରତରେ ସାମିଲ ହେବା ପରେ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦାର୍‌ ପଟେଲ୍‌ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଆଜିର କାର୍ଯ୍ୟକ୍ରମକୁ ଅମିତ ଶାହଙ୍କୁ ନିମନ୍ତ୍ରଣ କରିବା ଲାଗି ମନା କରିଦେଇଥିବା ‌‘କେସିଆର୍‌’ ପଚାରିଛନ୍ତି, ନଭେମ୍ବର ୯ ତାରିଖରେ ଗୁଜରାଟର ଜୁନାଗଡ଼ ଭାରତରେ ସାମିଲ ହେବା ଘଟଣାକୁ ପାଳନ ନ କରି ‘ବିଜେପି’ କେବଳ ହାଇଦ୍ରାବାଦ ଉପରେ କାହିଁକି ଧ୍ୟାନ ଦେଉଛି।

ସମ୍ବନ୍ଧିତ ଖବର