୩୨ ୟୁରୋପୀୟ ଦେଶ ଉପରେ କଟକଣା ଲଗାଇଲା ଭାରତ

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪କୁ ବୃଦ୍ଧି

ଦେଶବ୍ୟାପୀ ସ୍କୁଲ୍‌, ମଲ୍‌, ସୁଇମିଂ ପୁଲ୍‌ ବନ୍ଦ
ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ ବନ୍ଦ
ଜେଲ୍ ସ୍ଥିତି ଜଣାଇବାକୁ ମୁଖ୍ୟ ସଚିବଙ୍କୁ ନୋଟିସ୍

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭାରତ ସରକାର ୩୨ ୟୁରୋପୀୟ ଦେଶମାନଙ୍କ ଉପରେ କଟକଣା ଜାରି କରିଛନ୍ତି। ଏହିସବୁ ୟୁରୋପୀୟ ଦେଶମାନଙ୍କରୁ ଯାତ୍ରୀ ଆଣିପାରିବେ ନାହିଁ ବିମାନ। ଆସନ୍ତା ୧୮ ତାରିଖ ସନ୍ଧ୍ୟା ୫ଟା ୩୦ରୁ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ୟୁରୋପୀୟ ସଂଘର ସମସ୍ତ ରାଷ୍ଟ୍ର ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘର ସଦସ୍ୟ ରାଷ୍ଟ୍ର ଯଥା- ଲିକ୍ଟେନଷ୍ଟାଇନ୍‌, ଆଇସ୍‌ଲ୍ୟାଣ୍ଡ, ନ‌ରୱେ, ସୁଇସ୍‌ ରାଷ୍ଟ୍ରସଂଘ, ଇଂଲଣ୍ଡ ଏବଂ ତୁର୍କୀ ଭଳି ଦେଶମାନଙ୍କ ଉପରେ ଏହି କଟକଣା ଲାଗୁ ହେବ। ଏସବୁ ୟୁରୋପୀୟ ଦେଶମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ନ ଆସିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ସଂଯୁକ୍ତ ଆରବ ଏମିରେଟ୍‌ସ, କତାର, ଓମାନ୍‌, କୁଏତ ଭଳି ୪ଟି ଦେଶରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ରଖାଯିବ। ଏହା ପୂର୍ବରୁ କେନ୍ଦ୍ର ସରକାର ଚୀନ୍‌, ଇଟାଲି, ଇରାନ, କୋରିଆ, ଫ୍ରାନ୍‌ସ, ସ୍ପେନ୍‌ ଏବଂ ଜର୍ମାନୀରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟିନ୍‌କୁ ବାଧ୍ୟତାମୂଳକ କରିଥିଲେ।

ଇତିମଧ୍ୟରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୧୪କୁ ବୃଦ୍ଧି ପାଇଛି। ଲଦାଖ, ଓଡ଼ିଶା, ଜମ୍ମୁ କାଶ୍ମୀର ଏବଂ କେରଳରେ ଜଣେ ଲେଖାଏଁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ଆଜି ସୂଚନା ଦେଇଛନ୍ତି। ତେବେ ଆଶ୍ବାସନାର ବିଷୟ ହେଲା ଆକ୍ରାନ୍ତ ୧୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ଭାରତରେ ଏବେ ସୁଦ୍ଧା ମୃତ୍ୟୁ ହୋଇଛି। ପୂର୍ବ ଭାରତରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ପଜିଟିଭ ଥିବା ଜଣାଯାଇଛି।

ଭାରତରେ ରବିବାର ଗୋଟିଏ ଦିନରେ ୨୫ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୨୫ଟି ମାମଲାରୁ କେବଳ ମହରାଷ୍ଟ୍ରରେ ୧୮ଟି ମାମଲା ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ରରେ ସମୁଦାୟ ୩୮ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସମୁଦାୟ ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଗତକାଲି ସୁଦ୍ଧା ୧୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଆଜି ଏହା ୧୧୪କୁ ବୃଦ୍ଧି ପାଇଛି।

କରୋନା ପାଇଁ ଆଜି ସୁପ୍ରିମ୍‌ କୋର୍ଟରେ ଆଇନଜୀବୀ, ସାମ୍ବାଦିକ ଏବଂ ମକଦ୍ଦମାକାରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ଏଥିସହିତ ଦେଶର ଜେଲ୍‌ଗୁଡ଼ିକରେ ଅଧିକ ସଂଖ୍ୟକ ବନ୍ଦୀ ରହୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ। ବିଶେଷକରି ଏବେ କରୋନା ଭୂତାଣୁ ବ୍ୟାପୁଥିବା ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ ନିଜଆଡ଼ୁ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ କାରାଗାର ଦାୟିତ୍ବରେ ଥିବା ମହା ନିର୍ଦ୍ଦେଶକମାନଙ୍କୁ ନୋଟିସ ପଠାଇଛନ୍ତି। ଏଥିପାଇଁ କ’ଣ ପଦକ୍ଷପେ ନିଆଯାଇଛି ତାହା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଜଣାଇବାକୁ ସୁପ୍ରିମ କୋର୍ଟ ତାଙ୍କ ନୋଟିସ୍‌ରେ ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଗତକାଲି ଶିରିଡ଼ି ସାଇ ମନ୍ଦିରରେ ଦର୍ଶନ ଉପରେ କଟକଣା ଲଗାଯାଇଥିବାବେଳେ ଆଜି ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

ସାରା ଦେଶରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, ମଲ୍ ଏବଂ ସୁଇମିଂ ପୁଲ୍‌କୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ‌ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଏଥିସିହତ ୧୧୪ ଜଣ ‌କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୨୦୦ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଅଲଗା ରଖାଯାଇଛି। କରୋନା ପାଇଁ ବିଦେଶ ମନ୍ତ୍ରାଳୟ ପକ୍ଷରୁ କଲ୍ ସେଣ୍ଟର ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ସମସ୍ତ ଭାରତୀୟଙ୍କୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି କଲ୍ ସେଣ୍ଟର ୨୪ ଘଣ୍ଟା କାମ କରିବ।

ସମ୍ବନ୍ଧିତ ଖବର