ଚୀନ୍‌ ନିଜ ଭୁଲରୁ ଶିକ୍ଷା ନେଉ: ଭାରତ

ଜାତିସଂଘରେ କାଶ୍ମୀର ଚର୍ଚ୍ଚା ପାଇଁ ଚୀନ୍‌ର ପ୍ରୟାସ ଭଣ୍ଡୁର

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକରେ ଚୀନ୍‌ କାଶ୍ମୀର ପ୍ରସଙ୍ଗ ଉଠାଇବା ଏବଂ ଏହା ପ୍ରତ୍ୟାଖ୍ୟାତ ହେବା ପରେ ଭାରତ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛି, ପାକିସ୍ତାନକୁ ସମର୍ଥନ ଦେବାକୁ ଯାଇ ଚୀନ୍‌ ତରବରିଆ ପଦକ୍ଷେପ ନେଉଛି। ଭାରତକୁ ବଦନାମ କରିବାକୁ ପାକିସ୍ତାନର ସବୁ ପ୍ରୟାସ ପଣ୍ଡ ହେଉଥିଲେ ମଧ୍ୟ ଚୀନ୍‌ ଏହାକୁ ସହାୟତା ଦେଇ ଚାଲିଛି। ଚୀନ୍‌ ସମଗ୍ର ବିଶ୍ବର ସହମତିକୁ ସମ୍ମାନ ଦେବା ସହ ଏଭଳି ପଦକ୍ଷେପ ନେବାରୁ ଦୂରେଇ ରହୁ ଏବଂ ନିଜ ଭୁଲରୁ ଶିକ୍ଷା ନେଉ ବୋଲି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି।

ପାକିସ୍ତାନ ଚୀନ୍‌ ଜରିଆରେ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ବାରମ୍ବାର ହୀନ ଉଦ୍ୟମ କରି ଆସୁଛି, ଯାହା କି ଉଚିତ୍‌ ନୁହେଁ ବୋଲି ରବିଶ କୁମାର କହିଛନ୍ତି। ଚୀନ୍‌ ଏ ବାବଦରେ ବାରମ୍ବାର ଭୁଲ କରିଚାଲିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ରାତିରେ ଚୀନ୍‌ ତୃତୀୟ ଥର ପାଇଁ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକରେ ଉଠାଇଥିଲା। ମାତ୍ର ସଦସ୍ୟ ରାଷ୍ଟ୍ରଙ୍କ ସହମତି ନମିଳିବାରୁ ଚୀନ୍‌ର ଏହି ପ୍ରସ୍ତାବ କାଟ୍‌ ଖାଇ ଯାଇଥିଲା। କାଶ୍ମୀର ପ୍ରସଙ୍ଗ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଜରିଆରେ ସମ୍ଭବ ବୋଲି ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ଫଳରେ ଚୀନ୍‌ର ଏହି ଉଦ୍ୟମ ପଣ୍ଡ ହୋଇଯାଇଥିଲା। ତେବେ ପାକିସ୍ତାନ ଭବିଷ୍ୟତରେ ଏଭଳି ଉଦ୍ୟମ ନ କରୁ ଏବଂ ଆଉ ଲୋକହସା ନ ହେଉ ବୋଲି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର