୧୦୮ ଦେଶକୁ ୮୫ ନିୟୁତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପଠାଇଲା ଭାରତ

ନୂଆଦିଲ୍ଲୀ : ସାରା ବିଶ୍ବ ଏବେ କ‌ରୋନା ବିଶ୍ବ ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଭାରତ ଏହାର ମେଡିକାଲ କୂଟନୀତି ଆରମ୍ଭ କରିଛି। କରୋନା ସହ ଲଢ଼ୁଥିବା ୧୦୦ରୁ ଅଧିକ ଦେଶକୁ ଭାରତ ଗତ ୨ ସପ୍ତାହ ମଧ୍ୟରେ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପଠାଇଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଆମେରିକା ସମେତ ୧୦୮ଟି ରାଷ୍ଟ୍ରକୁ ଭାରତ ପ୍ରାୟ ୮୫ ନିୟୁତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଟାବଲେଟ୍‌ ଏବଂ ୫୦୦ ନିୟୁତ ପାରାସିଟାମଲ୍‌ ଟାବଲେଟ୍‌ ପଠାଇଛି। ତେବେ ଟାବଲେଟ୍‌ ପ୍ରସ୍ତୁତ କରିବାପାଇଁ ୧,୦୦୦ ପାରାସିଟାମଲ୍‌ ଗ୍ରାନୁଲ୍‌ ପଠାଇବା ବାଦ୍‌ ଏଗୁଡ଼ିକ ପଠାଯାଉଛି। ୬୦ଟି ଦେଶକୁ ସମୁଦାୟ ୪୦୦୦ ସାମଗ୍ରୀ ପଠାଇବାପାଇଁ ପ୍ରକ୍ରିୟା ଶେଷ ହୋଇଛି। ସ୍ବତନ୍ତ୍ର ବାୟୁସେନା ବିମାନ ଏବଂ କାର୍ଗୋରେ ଏହି ମେଡିସିନ୍‌ ପଠାଯାଉଛି। ଭାରତ ସମେତ ଅନ୍ୟ ରାଷ୍ଟ୍ରରେ ବିମାନ ଚଳାଚଳ ବନ୍ଦ ଥିବାରୁ ସ୍ବତନ୍ତ୍ର ବିମାନ ଯୋଗେ ହିଁ ମେଡିସିନ୍‌ ପଠାଇବାକୁ ପଡ଼ୁଛି। ମରିସସ୍‌ ଏବଂ ସେଚେଲସ୍‌କୁ ଭାରତ ଉପହାର ସ୍ବରୂପ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପଠାଇଛି। ଭାରତ ପୂର୍ବରୁ ବାଣିଜ୍ୟିକ ଚୁକ୍ତିନାମା ଆଧାରରେ ଆମେରିକା, ବ୍ରିଟେନ୍‌, ରୁଷିଆ, ଫ୍ରାନ୍ସ , ସ୍ପେନ୍‌, ନେଦରଲାଣ୍ଡ୍‌ ସମେତ ୨୪ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ପଠାଇଛି। ଭାରତ ମଧ୍ୟ ଇଟାଲି, ସ୍ବିଡେନ୍‌ ଏବଂ ସଙ୍ଗାପୁର ସମେତ ୫୨ଟି ଦେଶକୁ ପାରାସିଟାମଲ୍‌ ପଠାଇଛି।

ଭାରତ ମଧ୍ୟ ମାଲେସିଆକୁ ହାଇଡ୍ରୋକ୍ସି‌କ୍ଲୋରୋକ୍ବିନ ଦେବାପାଇଁ ରାଜି ହୋଇଛି। ଭାରତ ମାଲେସିଆକୁ ୮୯,୧୦୦ ଟାବଲେଟ୍‌ ଦେବାପାଇଁ ଅନୁମତି ଦେଇଛି ବୋଲି ମାଲେସିଆ ଉପ ବିଦେଶ ମନ୍ତ୍ରୀ କାମରୁଦିନ୍‌ ଜାଫର କହିଛନ୍ତି। ମାଲେସିଆ ଭାରତଠାରୁ ୧୦ ଲକ୍ଷ ହାଇଡ୍ରୋକ୍ସିକ୍ଲୋରକ୍ବିନ୍‌ ଟାବଲେଟ୍‌ ମାଗିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର