ପିଓକେରେ ଥିବା ଐତିହାସିକ ବୌଦ୍ଧ କୀର୍ତ୍ତିରାଜୀକୁ ନଷ୍ଟ କରାଯିବାକୁ ଭାରତର ବିରୋଧ

ନୂଆଦିଲ୍ଲୀ : ପାକ-ଅଧିକୃତ କଶ୍ମୀରର ଗିଲଗିଟ-ବାଲଟିସ୍ତାନରେ ଥିବା ଐତିହାସିକ ବୌଦ୍ଧ କୀର୍ତ୍ତିରାଜୀକୁ ନଷ୍ଟ କରାଯାଉଥିବାରୁ ଭାରତ ତାହାର ତୀବ୍ର ବିରୋଧ କରିବା ସହ ଉକ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଦାବି କରିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ୮୦୦ ଶତାବ୍ଦୀର ଏହି ଐତିହାସିକ ବୈଦ୍ଧ କୀର୍ତ୍ତିରାଜିକୁ ସଂରକ୍ଷିତ କରିବା ବଦଳରେ ପାକିସ୍ତାନରେ ତାହାକୁ ବିକୃତ ଓ ନଷ୍ଟ କରାଯାଉଛି । ଏ ନେଇ ପାକିସ୍ତାନ ସରକାରଙ୍କ ନିକଟରେ ବିରୋଧ କରାଯାଇଛି । ଏହା ଭାରତୀୟ ଅଞ୍ଚଳ ହୋଇଥିବାବେଳେ ପାକିସ୍ତାନ ତାହାକୁ ବେଆଇନ ଭାବେ ମାଡ଼ିବସିଛି । ଏହା ସହିତ ସେଠାରେ ଥିବା ଭାରତୀୟ ସଭ୍ୟତାର ଅମୂଲ୍ୟ ସମ୍ପଦକୁ ନଷ୍ଟ ଓ ବିକୃତ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଗିଲଗିଟ ବାଲଟିସ୍ତାନରେ ଥିବା ଗୁମ୍ଫାରେ ଅଙ୍କିତ ପ୍ରାଚୀନ ବୌଦ୍ଧ କୀର୍ତ୍ତୀରାଜୀ ଓ ଶିଳାଲେଖକୁ ସ୍ଥାନୀୟ ମୌଳବାଦୀମାନେ ବିକୃତ କରିବା ସହ ତାହା ଉପରେ ଇସ୍ଲାମୀୟ ସ୍ଲୋଗାନ ଲେଖୁଛନ୍ତି । ତେବେ ଏହି କଥା ଜଣା ପଡ଼ିବା ପରେ ଭାରତ ସମେତ ବିଶ୍ୱ ଅନ୍ୟ ସ୍ଥାନରେ ଏହାକୁ ତୀବ୍ର ବିରୋଧ କରାଯାଉଛି । ଏହା ୨୦୦୧ର ତାଲିବାନ ଦ୍ୱାରା ବାମିଆନ ବୌଦ୍ଧ ମୂର୍ତ୍ତୀକୁ ନଷ୍ଟ କରାଯିବାକୁ ମନେପକାଇଦେଉଛି ବୋଲି କେତେକ କହୁଛନ୍ତି ।

୨୦୦୧ରେ ଆଫଗାନିସ୍ତାନର ବାମିୟାନରେ ଥିବା ପ୍ରାଚୀନ ବିଶାଳ ବୌଦ୍ଧ ମୁର୍ତ୍ତୀକୁ ତାଲିବାନ ଆତଙ୍କବାଦୀମାନେ ତୋପମାରି ନଷ୍ଟ କରିଦେଇଥିଲେ ।

ସମ୍ବନ୍ଧିତ ଖବର