ଇତିହାସ ରଚିଲା ଭାରତ: ଯୁଦ୍ଧ ବିମାନରୁ ‘ବ୍ରହ୍ମୋସ୍‌’ ପରୀକ୍ଷା ସଫଳ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ କ୍ଷୀପ୍ର ସୁପର୍‌ସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’କୁ ଆଜି ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧ ବିମାନରୁ ସଫଳ ପରୀକ୍ଷା କରି ଇତିହାସ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଶବ୍ଦର ଗତିଠାରୁ ପ୍ରାୟ ୩ ଗୁଣ ଅଧିକ ବେଗରେ ଯାଇ ଅତ୍ୟନ୍ତ ସଫଳତାର ସହ ବଙ୍ଗୋପସାଗର ଅଂଚଳରେ ତା’ର ଟାର୍ଗେଟ୍‌କୁ ନଷ୍ଟ କରିଥିଲା। ବାୟୁସେନାକୁ ମିଳିଥିବା ଏହି ବିରଳ ସଫଳତା କ୍ରୁଜ୍‌ କ୍ଷେପଣାସ୍ତ୍ର ପ୍ରୟୋଗରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଯୁଦ୍ଧ ବିମାନରୁ ଏଭଳି ସଫଳ ପରୀକ୍ଷଣ ବିଶ୍ୱରେ ପ୍ରଥମ ବୋଲି କୁହାଯାଇଛି। ଏବେ ଭାରତ ହେଉଛି ବିଶ୍ୱର ପ୍ରଥମ ରାଷ୍ଟ୍ର ଯାହା ପାଖରେ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ପ୍ରୟୋଗ ହୋଇପାରୁଥିବା ସୁପର୍‌ସୋନିକ କ୍ରୁଜ୍‌ ମିସାଇଲ ରହିଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ)ର ଏହି ଐତିହାସିକ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଡିଆର୍‌ଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ଯୁଦ୍ଧ ବିମାନରୁ ବ୍ରହ୍ମୋସ୍‌ ପରୀକ୍ଷା ପାଇଁ କିଛି ମାସ ଧରି ବ୍ୟପକ ପ୍ରସ୍ତୁତି ଚାଲିଥିଲା ଏବଂ କ୍ଷେପଣାସ୍ତ୍ରରେ େକେତକ ପରିବର୍ତ୍ତନ ଅଣାଯାଇଥିଲା। ୨.୫ ଟନ୍‌ ଓଜନର କ୍ଷେପଣାସ୍ତ୍ରକୁ ଯୁଦ୍ଧ ବିମାନରେ ଖଞ୍ଜି ସଫଳ ପରୀକ୍ଷା କରିବା ଏକ ବିରାଟ ଆହ୍ଵାନ ଥିଲା। ଯୁଦ୍ଧ ବିମାନରୁ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ଏଭଳି ପରୀକ୍ଷା ଚୀନ୍‌ ଓ ଆମେରିକା ଭଳି ମହାଶକ୍ତିକୁ ମଧ୍ୟ ଅବାକ୍‌ କରିଦେଇଛି।

ବ୍ରହ୍ମୋସ୍‌ ପ୍ରୟୋଗ କରି ଶତ୍ରୁ ରାଷ୍ଟ୍ରର ସୀମାରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଭାରତ ଚାହିଁଲେ ନିମିଷକରେ ଧ୍ୱଂସ କରିଦେଇପାରିବ। ୨୯୦ କିଲୋମିଟର ରେଂଜ୍‌ର ଏହି ସୁପର୍‌ସୋନିକ୍‌ କ୍ଷେପଣାସ୍ତ୍ର ଏବେ ଭାରତୀୟ ସେନା ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ଏହାକୁ ସଂପୂର୍ଣ୍ଣ ବିକାଶ କରିବାରେ ଭାରତ ସଫଳ ହୋଇଥିବା ବେଳେ ସୀମା ସୁରକ୍ଷା କ୍ଷେତ୍ରରେ ଏହି କ୍ଷେପଣାସ୍ତ୍ରର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ଏବେ ଏହା ଯୁଦ୍ଧ ବିମାନରୁ ସଫଳ ପ୍ରୟୋଗ ହୋଇଥିବାରୁ ଭାରତୀୟ ବାୟୁସେନାର ଶକ୍ତିରେ ଆଶାତୀତ ବୃଦ୍ଧି ଘଟିଛି। ସେନାରେ ଅଧିକ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସାମିଲ କରିବା ନିମନ୍ତେ ୨୭,୧୫୦ କୋଟି ଟଙ୍କାର ନିର୍ମାଣ ଅର୍ଡର ଦିଆସରିଛି ।

ସମ୍ବନ୍ଧିତ ଖବର