କରୋନା ଟିକାକରଣ : ପୁଣି ଥରେ ୧ କୋଟି ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ନୂଆଦିଲ୍ଲୀ : କରୋନା ଟିକାକରଣରେ ମଙ୍ଗଳବାର ପୁଣି ଥରେ ରେକର୍ଡ କରିଛି ଭାରତ । ଆଜି ସଂଧ୍ୟା ୬ଟା ସୁଦ୍ଧା ଦେଶରେ ୧ କୋଟି ୯ ଲକ୍ଷ ମାତ୍ରା ଟିକା ଦିଆଯାଇଛି । ଏବେ ବି ଟିକାକରଣ ଚାଲିଥିବାରୁ ଏହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟା ଏକ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ ୫ ଦିନରେ ଭାରତ ଦୁଇଥର ୧ କୋଟି ଦୈନିକ ଟିକା ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଆଜି ସଂଧ୍ୟା ୬ଟା ସୁଦ୍ଧା ୧ କୋଟି ୯ ଲକ୍ଷ ମାତ୍ରା ଟିକା ଦେଇ ଭାରତ ନିଜର ପୂର୍ବ ରେକର୍ଡକୁ ଟପିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ କରୋନା ବିରୋଧରେ ଲଢେଇ କରିଚାଲିଛି ବୋଲି ସେ ଲେଖିଛନ୍ତି ।

 

 

ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଭାରତ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧ କୋଟି ମାତ୍ରା ଟିକା ଦେବାର ମାଇଲଖୁଣ୍ଟ ଅତିକ୍ରମ କରିଥିଲା । ସେ ଦିନ ମୋଟ ୧ କୋଟି ୬୪ ହଜାର ଟିକା ଦିଆଯାଇଥିଲା ।

ଅନ୍ୟପକ୍ଷରେ, ଟିକାକରଣ ଦୃଷ୍ଟିରୁ ଚଳିତ ଅଗଷ୍ଟ ମାସ ସବୁଠାରୁ ସଫଳ ମାସର ମାନ୍ୟତା ଲାଭ କରିବାକୁ ଯାଉଛି । କାରଣ ଚଳିତ ମାସରେ ଏପର୍ଯ୍ୟନ୍ତ ୧୭ କୋଟିରୁ ଅଧିକ ମାତ୍ରା ଟିକା ଦିଆଯାଇସାରିଲାଣି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୬୫କୋଟି ମାତ୍ରା ଟିକା ଦିଆଯାଇଛି ।  ଗତ ଜୁଲାଇ ମାସରେ ୧୩ କୋଟି ୪୫ ଲକ୍ଷ ଓ ଜୁନରେ ୧୧ କୋଟି ମାତ୍ରା କରୋନା ଟିକା ଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର