ନୂଆଦିଲ୍ଳୀ: କରୋନାର ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ବେଶ୍ ଗୁରତ୍ବାରୋପ କରିଛନ୍ତି। କୋଭିଡ୍-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଦେଶରେ ଅଧିକରୁ ଅଧିକ ଟିକାର ଆବଶ୍ୟକତା ରହିଥିବା ବେଳେ ଆସନ୍ତା ଅଗଷ୍ଟ ସୁଦ୍ଧା କୋଭାକ୍ସ ସୁବିଧା ଦ୍ବାରା ଦେଶକୁ ୩ରୁ ୪ ମିଲିୟନ୍ ଡୋଜ୍ର ଫାଇଜର୍ ଓ ମଡର୍ଣ୍ଣା ଟିକା ପ୍ରାପ୍ତ ହୋଇପାରେ ବୋଲି ସୂଚନା ରହିଛି।
ରିପୋର୍ଟ ଅନୁସାରେ ଗାଭି ଟିକା ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ମିଳିତ ଭାବେ କୋଭାକ୍ସ ନେତୃତ୍ବରେ ଚଳିତମାସ ଶେଷ ସୁଦ୍ଧା ଆମେରିକା ନିର୍ମିତ ଡୋଜକୁ ଭାରତ ପଠାଇବେ।
ତେବେ ଏ ନେଇ ରିଉଟର୍ସ ପକ୍ଷରୁ ଏହି ଦୁଇ ଔଷଧ କମ୍ପାନିକୁ ପଠାଯାଇଥିବା ମେଲ୍ର ଏଯାବତ୍ କୌଣସି ଉତ୍ତର ଆସିନାହିଁ। କେବଳ ସେତିକି ନୁହେଁ, ଗାଭି ଏବଂ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରେ ନାହିଁ।
ଆପଣ ଜାଣିଥିବେ ନିଶ୍ଚୟ ଯେ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବେଶ୍ ଆଗୁଆ। ଦ୍ବିତୀୟ ଲହର ପୂର୍ବରୁ ଭାରତ ପ୍ରାୟ ୬୬ ମିଲିୟନ୍ ଡୋଜ୍ ଟିକା ବିକ୍ରି ଓ ଦାନ କରିସାରିଛି।