ଭାରତ ଅର୍ଥ ହେଉଛି ସୁଯୋଗ: ପୀୟୂଷ ଗୋୟଲ

ଷ୍ଟାନଫୋର୍ଡ ଅଧ୍ୟାପକ ଓ ଛାତ୍ରମାନଙ୍କ ସହ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି କହିଛନ୍ତି ଯେ ‘ଭାରତ’ ଅର୍ଥ ହେଉଛି ‘ସୁଯୋଗ’ ଏବଂ ଏହା କେବଳ ଭାରତର ଦଶନ୍ଧି ନୁହେଁ, ଏହା ଭାରତର ଶତାବ୍ଦୀ। ସେ ଆଜି ଆମେରିକାର ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜ୍‌ନେସର ଅଧ୍ୟାପକ ଏବଂ ଛାତ୍ରମାନଙ୍କ ସହିତ ଆଲୋଚନା କରିଛନ୍ତି।

ଶ୍ରୀ ଗୋୟଲ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଭିତ୍ତିଭୂମି ସ୍ଥାପନ କରିବାରେ ଧ୍ୟାନ ଦେଇଛି, ଯେଉଁଥିରେ ଦେଶ ଦ୍ରୁତଗତିରେ ଅଗ୍ରଗତି କରିପାରିବ, ଅର୍ଥନୀତିର ବିକାଶ ହେବ ଓ ବ୍ୟବସ୍ଥାରେ ଉନ୍ନତି ଆସିବ। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ, ଦେଶରେ ଜନ୍ମିତ ପ୍ରତ୍ୟେକ ଶିଶୁଙ୍କର ଉତ୍ତମ ଗୁଣାତ୍ମକ ଜୀବନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଧିକାର ପାଇବାକୁ ଭାରତ ଚେଷ୍ଟା କରୁଛି।

ଗତ ଆର୍ଥିକ ବର୍ଷରେ ଭାରତର ରପ୍ତାନି ୬୭୫ ବିଲିୟନ ଡଲାର ଅତିକ୍ରମ କରିସାରିଥିବା ସମ୍ପର୍କରେ ସେ କହିଛନ୍ତି ଯେ ୨୦୩୦ ସୁଦ୍ଧା ଦେଶ ଅନ୍ତର୍ଜାତୀୟ ବାଣିଜ୍ୟକୁ ୨ ଟ୍ରିଲିୟନ ଡଲାରକୁ ନେବାକୁ ଲକ୍ଷ୍ୟ ରଖିଛି ଏବଂ ଭାରତ ସ୍ୱାଧୀନତାର ୧୦୦ତମ ବାର୍ଷିକୀ ପାଳନ କରିବା ବେଳକୁ ଏହା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହୋଇ ସାରିଥିବ। ଏହି ପ୍ରକାର ସୁଯୋଗ ଭାରତ ସାରା ବିଶ୍ବକୁ ପ୍ରଦାନ କରୁଛି। ଏହା କେବଳ ଭାରତର ଦଶନ୍ଧି ନୁହେଁ, ଏହା ଭାରତର ଶତାବ୍ଦୀ ବୋଲି ସେ କହିଛନ୍ତି। ଭାରତର ଯୁବକମାନେ ଦ୍ରୁତ ଗତିରେ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ଚାମ୍ପିଅନ୍ ହେବାରେ ଲାଗିଛନ୍ତି। ସେମାନଙ୍କ ଉପରେ ନିଜର ବିଶ୍ୱାସ ବ୍ୟକ୍ତ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତର ନୂତନ ଶିକ୍ଷାନୀତି ଉଦାରବାଦୀ ଶିକ୍ଷାକୁ ଗ୍ରହଣ କରୁଛି ଏବଂ ବିଶ୍ୱର ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକ ସହିତ ଗଭୀର ସହଯୋଗ ସ୍ଥାପନ କରୁଛି।

ମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦୃଢ଼ ପରିଚାଳନା ନୀତି ଆଧାରରେ ତାଙ୍କର ଦୃଷ୍ଟିକୋଣ ଏବଂ ଭାରତର ଭବିଷ୍ୟତ ପାଇଁ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି। ସେ ଏଲ୍‌ଇଡି ଲାଇଟ୍‌ ବିପ୍ଳବର ଉଦାହରଣ ଦେଇଛନ୍ତି ଏବଂ ବ୍ୟାଖ୍ୟା କରିଛନ୍ତି ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ, ଶକ୍ତି କ୍ଷେତ୍ରରେ ଆମର ନିବେଶର ଭାର ହ୍ରାସ କରିବା ଏବଂ ସାଧାରଣ ଲୋକଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବା ପାଇଁ ଶକ୍ତି ସଂରକ୍ଷଣ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଫଳସ୍ବରୂପ ୨୦୧୫ରେ ଏଲ୍‌ଇଡି ଲାଇଟିଂ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ପ୍ରଥମ ବର୍ଷ ଏକ ଏଲ୍‌ଇଡି ବଲ୍‌ବର ମୂଲ୍ୟକୁ ୮୫% ହ୍ରାସ କରିବା ଦ୍ବାରା ଗ୍ରାହକମାନେ ଉପକୃତ ହୋଇଛନ୍ତି ଏବଂ ଭାରତ ବହୁମାତ୍ରାରେ ଶକ୍ତି ସଞ୍ଚୟ କରିବାରେ ସମର୍ଥ ହୋଇପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର