ଚୀନ୍-ପାକିସ୍ତାନର ମୁକାବିଲା ପାଇଁ ଭାରତ ‘ରକେଟ୍‌ ବାହିନୀ’ ଆରମ୍ଭ କରିବ

ସିଡିଏସ୍‌ ବିପିନ ରାୱତଙ୍କ ଘୋଷଣା

ନୂଆଦିଲ୍ଲୀ: ଡିଫେନ୍ସ ଷ୍ଟାଫ୍ ମୁଖ୍ୟ (ସିଡିଏସ୍) ଜେନେରାଲ ବିପିନ ରାୱତ ଗୁରୁବାର ଆକ୍ରମଣାତ୍ମକ ମନୋବୃତ୍ତି ରଖୁଥିବା ଚୀନ୍ ଓ ଏହାର ପ୍ରକ୍ସି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଭାରତ ଖୁବ୍‌ଶୀଘ୍ର ଆକାଶମାର୍ଗରୁ ଏହାର ଆକ୍ରମଣ କ୍ଷମତା ବୃଦ୍ଧି କରିବାକୁ ଯାଉଛି ଏବଂ ସେଥିପାଇଁ ଏକ ସ୍ବତନ୍ତ୍ର ‘ରକେଟ୍ ବାହିନୀ’ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ସିଡିଏସ୍ ରାୱତ କହିଲେ ଯେ, ଭାରତକୁ ତା’ର ଶତ୍ରୁଭାବାପନ୍ନ ପଡ଼ୋଶୀମାନଙ୍କଠାରୁ ବିପଦ ରହିଛି। ତେଣୁ ଏହି ଆହ୍ବାନର ମୁକାବିଲା ପାଇଁ ଭାରତକୁ ତା’ର କ୍ଷମତା ବୃଦ୍ଧି କରିବାକୁ ପଡ଼ିବ। ପାକିସ୍ତାନ ଜମ୍ମୁ-କାଶ୍ମୀରରେ ତା’ର ଛାୟାଯୁଦ୍ଧ ଜାରି ରଖିବ ଏବଂ ପଞ୍ଜାବ ଓ ଦେଶର ଆଉ କେତେକ ସ୍ଥାନ‌ରେ ବି ସମସ୍ୟା ବଢ଼ାଇବାକୁ ଚେଷ୍ଟା କରୁଛି। ଚୀନ୍ ବି ଉତ୍ତର ସୀମାନ୍ତରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଅଛି। ସେମାନେ ସିଧା ଆକ୍ରମଣ କରନ୍ତୁ ବା ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି କରନ୍ତୁ, ସବୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ରାୱତ କହିଥିଲେ।

ନୂଆ ତାଲିବାନ ସରକାର ଭାରତ ପାଇଁ ବିପଦ ସୃଷ୍ଟି କରିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ରାୱତ କହିଲେ ଯେ, ତାଲିବାନମାନେ ଏତେ ଶୀଘ୍ର ଦେଶଟାକୁ ଅଧିକାର କରିନେବେ ବୋଲି କେହି ଚିନ୍ତା ବି କରି ନ ଥିଲେ। ଯୁଦ୍ଧ-ଧ୍ବସ୍ତ ଦେଶରେ ପରିସ୍ଥିତି ଆଗକୁ କ’ଣ ହେଉଛି ଆମକୁ ଅପେକ୍ଷା କରି ଦେଖିବାକୁ ପଡ଼ିବ। ଚୀନ୍ ଏବେ ଅଧିକ ଆକ୍ରମଣାତ୍ମକ ହେଉଛି। ଭାରତ ସହ ଚୀନ୍‌ର ବଡ଼ ଧରଣର ସୀମା ବିବାଦ ଥିବାରୁ ଏହା ଉପରେ ଆମର ସତର୍କ ନଜର ରହିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର