ଚୀନ ଉପରେ ଆଖି : ମିଆଁମାରକୁ ବୁଡ଼ାଜାହାଜ ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ : ଚୀନର ପ୍ରଭାବକୁ ହ୍ରାସ କରିବାକୁ ଭାରତ ନିଜର ପଡ଼ୋଶୀ ଦେଶ ମିଆଁମାର ସେନାକୁ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି । ମିଆଁମାର ନୌସେନାକୁ ଭାରତ ପକ୍ଷରୁ ଏକ କିଲୋ କ୍ଲାସ ବୁଡ଼ାଜାହାଜ ଆଇଏନଏସ୍‌ ସିନ୍ଧୁବୀର ପ୍ରଦାନ କରାଯିବ । ଏସମ୍ପର୍କରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।

ଭାରତ ମହାସାଗରରେ ଚୀନର ଗତିବିଧି ବଢୁଥିବାରୁ ଏହି ବୁଡ଼ାଜାହାଜର ଉପଯୋଗ କରି ମିଆଁମାର ନିଜର ଉପକୂଳର ସୁରକ୍ଷା କରିପାରିବ ।ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବଢାଇବାକୁ ଚଳିତ ମାସ ଆରମ୍ଭରେ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରୱାଣେ ଓ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ମିଆଁମାର ଗସ୍ତରେ ଯାଇଥିଲେ ।  ଏହି ଗସ୍ତ ଅବସରରେ ମିଆଁମାର ସେନାକୁ ଆର୍ଟିଲାରି ଗନ, ବୁଲେଟପ୍ରୁଫ ଜାକେଟ୍, ଟ୍ୟାଙ୍କ ଆଦି ପ୍ରଦାନ ପାଇଁ ଭାରତ ରାଜି ହୋଇଥିଲା ।

ଦକ୍ଷିଣ-ପୂର୍ବ ଏସିଆରେ ଚୀନର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବର ମୁକାବିଲା କରିବାକୁ ଭାରତ ଉଦ୍ୟମ ଆରମ୍ଭ କରିଛି । ଚୀନ ସହିତ ସୀମା ବିବାଦ ଥିବା ଦେଶମାନଙ୍କୁ ଭାରତ ସାମରିକ ସହାୟତା ଯୋଗାଉଛି । ଗତ କିଛି ବର୍ଷ ହେଲା ଇଣ୍ଡୋନେସିଆ ଓ ଥାଇଲାଣ୍ଡ ସହ ଭାରତ ନିଜର ସାମରିକ ସମ୍ପର୍କକୁ ସୁଦୃଢ କରିଛି । ଇଣ୍ଡୋନେସିଆକୁ ଭାରତ କେତେକ ଯୁଦ୍ଧ ଜାହାଜ, ବ୍ରହ୍ମୋସ ମିସାଇଲ, ଆକାଶ ମିସାଇଲ ସିଷ୍ଟମ ପ୍ରଦାନ କରିବାକୁ ଯୋଜନା କରୁଛି । ଭାରତଠାରୁ ଏସବୁ ଅସ୍ତ୍ରଶସ୍ତ୍ର କିଣିବାକୁ ଇଣ୍ଡୋନେସିଆ ଆଗ୍ରହ ପ୍ରକାଶ କରିଛି ।

ସମ୍ବନ୍ଧିତ ଖବର