‘ସ୍ଥାପତ୍ୟ ପାଇଁ ନୋବେଲ୍‌’ ଜିଣିଲେ ଭାରତୀୟ ସ୍ଥପତି ବିଭି ଦୋଶୀ

ଓ୍ଵାସିଂଟନ୍‌: କେବଳ କୋଠାବାଡ଼ି ନୁହେଁ ପ୍ରତିଷ୍ଠାନ ଆଦିର ନକ୍‌ସା କରୁଥିବା କିଂବଦନ୍ତୀ ଭାରତୀୟ ସ୍ଥପତି ବାଳକୃଷ୍ଣ ଦୋଶୀଙ୍କୁ ‘ପ୍ରିଜ୍‌କର୍‌ ଆର୍କିଟେକ୍‌ଚର୍‌ ପ୍ରାଇଜ୍‌’ ମିଳବ ବୋଲି ବୁଧବାର ଦିନ ଘୋଷଣା କରାଯାଇଛି। ଏହି ପୁରସ୍କାର ସ୍ଥାପତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ସମକକ୍ଷ।
ପୁଣେ ଠାରେ ଜନ୍ମିତ ୯୦ ବର୍ଷୀୟ ଦୋଶୀ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ। ପୂର୍ବରୁ ଜାହା ହାଦିଦ୍‌, ଫ୍ରାଙ୍କ୍‌ ଗେରି, ଆଇଏମ୍‌ ପେଇ ଏବଂ ଶିଙ୍ଗେରୁ ବାନ୍‌ଙ୍କ ଭଳି ସ୍ଥପତିମାନେ ଏହି ପୁରସ୍କାର ପାଇଛନ୍ତି।

ବିଗତ ବର୍ଷମାନଙ୍କରେ, ସର୍ବଦା ଗାମ୍ଭୀର୍ଯ୍ୟ ଭରା ସ୍ଥାପତ୍ୟ ସୃଷ୍ଟି କରି ଆସିଥିବା ବାଳକୃଷ୍ଣ କେଭେ ଲୋକଦେଖାଣିଆ ଭାବେ କି, ପ୍ରଚଳିତ ଧାରାରେ କାମ କରି ନାହାନ୍ତି। ଗୁରୁ ଦାୟିତ୍ୱ ଜ୍ଞାନ ଓ ନିଜ ଦେଶ ଏବଂ ଦେଶବାସୀଙ୍କୁ ଉଚ୍ଚ ମାନ, ବାସ୍ତବ ସ୍ଥାପତ୍ୟ ଦେବାକୁ ଯାଇ ସେ ସର୍ବସାଧାରଣ ପ୍ରଶାସନ, ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ, ବାସଭବନ ଆଦି ସୃଷ୍ଟି କରିଛନ୍ତି ବୋଲି ପ୍ରିଜ୍‌କର୍‌ ଜୁରି ଘୋଷଣାନାମାରେ କହିଛନ୍ତି।

ମୁମ୍ବାଇ ଜେଜେ ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚର୍‌ର ଛାତ୍ର ଦୋଶୀ ଭାରତକୁ ଫେରିବା ପୂର୍ବରୁ ୧୯୫୦ ମସିହାରେ ପ୍ୟାରିସ୍‌ ଠାରେ କିଂବଦନ୍ତୀ ସ୍ଥପତି ଲି କୋର୍ବ୍ୟୁଜର୍‌ଙ୍କ ସହ କାମ କରିଥିଲେ। ୧୯୫୫ ମସିହାରେ ସେ ନିଜର ଷ୍ଟୁଡିଓ ‘ବାସ୍ତୁ-ଶିଳ୍ପ’ ସ୍ଥାପନ କରି ଲୁଇ କାନ୍‌ ଏବଂ ଅନନ୍ତ ରାଜେ ସହ ମିଶି ଅହମଦାବାଦ୍‌ର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ କ୍ୟାମ୍ପସ୍‌ର ନକ୍‌ସା କରିଥିଲେ। ବହୁ ସ୍ୱଳ୍ପ-ମୂଲ୍ୟ ଗୃହନିର୍ମାଣ ପ୍ରକଳ୍ପ ବ୍ୟତୀତ ସେ ବାଙ୍ଗାଲୋର୍‌ ଏବଂ ଲକ୍ଷ୍ନୌ ଠାରେ ଆଇଆଇଏମ୍‌, ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫେସନ୍‌ ଟେକ୍‌ନୋଲଜି, ଠାକୁର ମେମୋରିଆଲ୍‌ ହଲ୍‌, ଅହମଦାବାଦର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡୋଲଜି ଆଦି ସୁନ୍ଦର କ୍ୟାମ୍ପ୍‌ସ୍‌ ଓ କୋଠାବାଡ଼ି ଆଦିର ନକ୍‌ସା ସମଗ୍ର ଭାରତରେ କରିଥିଲେ।

ସମ୍ମାନ ପାଇବାର ଉତ୍ତରରେ ଦୋଶୀ କହନ୍ତି: ମୋ କାମ ମୋ ଜୀବନର ବାହ୍ୟ ପରିପ୍ରକାଶ, ଦର୍ଶନ ଏବଂ ସ୍ୱପ୍ନ ସ୍ଥାପତ୍ୟିକ ଉଚ୍ଛ୍ୱାସର ଗନ୍ତାଘର ସୃଜିବାକୁ ଉଦ୍ୟମ କରନ୍ତି। ଏହି ସମ୍ମାନଜନ ପୁରସ୍କାର ମୁଁ ମୋର ଗୁରୁ ଲି କୋର୍ବ୍ୟୁଜର୍‌ଙ୍କୁ ପ୍ରତି ଅର୍ପଣ କରୁଛି। ତାଙ୍କ ଶିକ୍ଷା ମତେ ପରିଚୟ ପ୍ରତି ପ୍ରଶ୍ନ କରିବାକୁ ବାଟ କଢ଼ାଇଥିଲା।

ସମ୍ବନ୍ଧିତ ଖବର