ଓ୍ଵାସିଂଟନ : ୨୦୩୦ ସୁଦ୍ଧା ବିଶ୍ୱର ସବୁଠୁ ଶକ୍ତିଶାଳୀ ୫ଟି ସେନା ମଧ୍ୟରେ ରହିବ ଭାରତୀୟ ସେନା । ଏକଥା ଭାରତ ସରକାର ଦାବି କରୁନାହାନ୍ତି, ବରଂ ଆମେରିକାର ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ କହିଛି । ଏସଂପର୍କିତ ଏକ ରିପୋର୍ଟ ଆମେରିକାର ଏକ ମର୍ଯ୍ୟାଦାଜନକ ପତ୍ରିକା ‘ନ୍ୟାସନାଲ ଇଣ୍ଟରେଷ୍ଟ’ରେ ପ୍ରକାଶ ପାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା ବିଶ୍ୱର ୫ଟି ସବୁଠୁ ଶକ୍ତିଶାଳୀ ସେନା ମଧ୍ୟରେ ଭାରତୀୟ ସେନା ରହିବ । ଏହି ତାଲିକାରେ ଥିବା ଅନ୍ୟ ସେନାଗୁଡ଼ିକ ହେଲା ଋଷ ସେନା, ଫ୍ରାନ୍ସ ସେନା, ଆମେରିକା ସେନା ଓ ଚୀନ ସେନା । ତେବେ ଏହି ଅଧ୍ୟୟନ ବେଳେ ବାୟୁସେନା ଓ ନୈସେନା ଶକ୍ତିକୁ ବିଚାରକୁ ନିଆଯାଇନାହିଁ । ଏହି ତିନି ପ୍ରକାରର ସେନାର ମିଳିତ ଶକ୍ତିରେ ଆମେରିକା ସମସ୍ତଙ୍କଠାରୁ ବହୁ ଆଗରେ ରହିବ ।
ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ସେନା ଅନ୍ୟମାନଙ୍କଠାରୁ ବେଶ ଆଗୁଆ ରହିବ । ଏହାର କାରଣ ହେଉଛି, ବିଳମ୍ବରେ ହେଲେ ମଧ୍ୟ ଭାରତ ନିଜ ସେନାର ଆଧୁନୀକିକରଣ ଆରମ୍ଭ କରିଛି । ଏହି ରିପୋର୍ଟରେ ଚୀନ ସେନାଠାରୁ ଭାରତୀୟ ସେନାକୁ ଉପରେ ରଖାଯାଇଛି । ଏହାର କାରଣ ହେଉଛି ଭାରତୀୟ ସେନାର ଲଢୁଆ ଅଭିଜ୍ଞତା । ଚୀନସେନା ଗତ ୧୯୭୯ରେ ହେଇଥିବା ଭିଏତନାମ ଯୁଦ୍ଧ ପରଠାରୁ କୌଣସି ଯୁଦ୍ଧ ଲଢିନାହିଁ । ଏଣୁ ଗତ ୪୦ ବର୍ଷ ମଧ୍ୟରେ ଚୀନ ସେନାର ପ୍ରକୃତ ଯୁଦ୍ଧ ଅଭିଜ୍ଞତା ନାହିଁ । କିନ୍ତୁ ଭାରତୀୟ ସେନା ପ୍ରାୟ ପ୍ରତିଦିନ ଯୁଦ୍ଧ ଲଢୁଛି । କାଶ୍ମୀର ଓ ଉତ୍ତରପୂର୍ବ ରାଜ୍ୟରେ ଭାରତୀୟ ସେନା ବର୍ଷ ବର୍ଷ ଧରି ଲଢି ଏକ ଦୂର୍ଦ୍ଦାନ୍ତ ଲଢୁଆ ସେନାରେ ପରିଣତ ହୋଇଛି । ଆହୁରି ମଧ୍ୟ ଭାରତ ସମଗ୍ର ବିଶ୍ୱରେ ଏପରି ଏକ ଦେଶ ଯାହାକୁ ବିଶ୍ୱର ସବୁ ଶକ୍ତିଶାଳୀ ଦେଶ(ଚୀନକୁ ଛାଡି) ଯଥା ଆମେରିକା, ଋଷିଆ, ଇସ୍ରାଏଲ ଓ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ଓ ଟେକନଲୋଜୀ ଯୋଗାଉଛନ୍ତି । କିନ୍ତୁ ଚୀନ କେବଳ ଋଷିଆଠାରୁ ଟେକଲନୋଜୀ ପାଉଛି । ଆଗାମୀ ଦିନରେ ଭାରତକୁ ଶକ୍ତିଶାଳୀ କରି ଚୀନକୁ ଚ୍ୟାଲେଞ୍ଜ କରିବାକୁ ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନର ଯୋଜନା ପରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବା ଆଶା କରାଯାଉଛି ।