ପାକିସ୍ତାନ ମାଟିରେ ଭାରତର କ୍ଷେପଣାସ୍ତ୍ର ପଡ଼ିବା ଘଟଣା: ମୁଣ୍ଡ ପୂରାଇଲା ଚୀନ୍, ଭାରତ-ପାକ୍ ତଦନ୍ତ କରନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନ ମାଟିରେ ଦୁର୍ଘଟଣାବସତଃ ଭାରତୀୟ କ୍ଷେପଣାସ୍ତ୍ର ପଡ଼ିବା ଘଟଣାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଭାରତ ସରକାର ଦେଇଥିବା ସଫେଇରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ଘଟଣାର (ଭାରତ-ପାକିସ୍ତାନ ଦ୍ବାରା) ମିଳିତ ତଦନ୍ତ ପାଇଁ ଦାବି କରିଛି। ଚୀନ ମଧ୍ୟ ପାକିସ୍ତାନ ସହ ସ୍ବର ମିଳାଇ ମିଳିତ ତଦନ୍ତ ପାଇଁ ପରାମର୍ଶ ଦେଇଛି। ଭାରତ ଠାରୁ ଅନୁକୂଳ ପ୍ରତିକ୍ରିୟା ନମିଳିଲେ ଏହି ଘଟଣାକୁ ଆନ୍ତର୍ଜାତିକ ସ୍ତରରେ ଉଠାଇବାକୁ ପାକିସ୍ତାନ ଧମକ ଦେଇଛି।

ସୂଚନାଯୋଗ୍ୟ ଯେ ଗତ ୯ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇ ପାକିସ୍ତାନ ଅଞ୍ଚଳରେ ପଡ଼ିଥିଲା। ଏଥିପାଇଁ ଭାରତ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଥିଲା। ଏହି ଦୁର୍ଘଟଣା ଯୋଗଁ କୌଣସି ଜୀବନହାନୀ ହୋଇ ନଥିବାରୁ ଭାରତ ଆଶ୍ବସ୍ତି ପ୍ରକାଶ କରିଥିଲା।
କିନ୍ତୁ ଭାରତର ଏହି ସଫେ‌ଇରେ ସନ୍ତୁଷ୍ଟ ନୁହେଁ। ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ଯେ କ୍ଷେପଣାସ୍ତ୍ର ପରିଚାଳନାରେ ଭାରତର ଏଭଳି ଗୁରୁତର ତ୍ରୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ। ଏହାକୁ କେବଳ ବୈଷୟିକ ତ୍ରୁଟି ବୋଲି କହିଦେଲେ ଚଳିବ ନାହିଁ। ଏକ୍ଷେତ୍ରରେ ଅନେକ ଗୁରୁତର ତ୍ରୁଟି ରହିଛି। ତେଣୁ ଏହାର ବ୍ୟାପକ ତଦନ୍ତ ହେବା ଦରକାର। କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିବାରୁ ଏହି ତଦନ୍ତରେ ପାକିସ୍ତାନକୁ ମଧ୍ୟ ସାମିଲ କରାଯାଉ। ପରମାଣୁ ପରିବେଶରେ ଭାରତର ଏଭଳି ଖାମଖିଆଲି ମନୋଭାବ ପ୍ରତି ଆନ୍ତର୍ଜାତିକ ସମୁଦାୟ ଗୁରୁତ୍ବର ସହ ନେବା ଉଚିତ ବୋଲି ପାକିସ୍ତାନ ଦାବି କରିଛି। ଭାରତର ଏହି ସୁପରସୋନିକ କ୍ଷେପଣାସ୍ତ୍ର ଉଭୟ ଦେଶର ବେସାମରିକ ବିମାନ ସେବା ପ୍ରତି ବିପଦ ସୃଷ୍ଟି କରିଥିଲା ବୋଲି ପାକିସ୍ତାନ ଅଭିଯୋଗ କରିଛି। ଏହାସହିତ ପାକିସ୍ତାନ ଇସଲାମାବାଦ ସ୍ଥିତି ଭାରତୀୟ ହାଇକମିସନରଙ୍କୁ ଡାକି ଏହି ଘଟଣାର ପ୍ରତିବାଦ ମଧ୍ୟ ଜଣାଇଛି।

ତେବେ ଏସଂପର୍କରେ ଭାରତର ପ୍ରତିକ୍ରିୟା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଚୀନ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଗୁରୁତର ଘଟଣା ହୋଇଥିବାରୁ ଏସଂପର୍କରେ ଉଭୟ ଭାରତ ଏବଂ ପାକିସ୍ତାନ ଆଲୋଚନା କରିବା ଉଚିତ। ଘଟଣାର ଭାରତ ଓ ପାକିସ୍ତାନ ଦ୍ୱାରା ମିଳିତ ତଦନ୍ତ କରିବାକୁ ଚୀନ ବୈଦେଶିକ ବିଭାଗ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର