ସଂସ୍କୃତରେ ଶପଥ ନେଲେ ନିଉଜିଲାଣ୍ଡ୍‌ରେ ସାଂସଦ ଭାବେ ନିର୍ବାଚିତ ଭାରତୀୟ ବଂଶୋଦ୍ଭବ ଡାକ୍ତର

ନୂଆଦିଲ୍ଲୀ: ନିଉଜଲାଣ୍ଡ୍‌ ପାର୍ଲାମେଣ୍ଟ୍‌କୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତର ଗୌରବ ଶର୍ମା ବୁଧବାର ଦିନ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି।

୧୯୯୬ରେ ନିଉଜଲାଣ୍ଡକୁ ଚାଲିଯାଇଥିବା ୩୩ ବର୍ଷିୟ ଡାକ୍ତର ଗୌରବ ଶର୍ମା ହେଉଛନ୍ତି ହିମାଚଳ ପ୍ରଦେଶ ଜିଲ୍ଲା ହାମିରପୁରର ମୂଳ ବାସିନ୍ଦା। ‘ଲେବର୍‌ ପାର୍ଟି’ର ପ୍ରାର୍ଥୀ ଭାବେ ସେ ପଶ୍ଚିମ ହାମିଲ୍‌ଟନ୍‌ରୁ ନିର୍ବାଚନରେ ବିଜୟୀ ହୋଇଛନ୍ତି।

ନିଉଜ୍‌ଲାଣ୍ଡ୍‌ସ୍ଥିତ ଭାରତୀୟ ହାଇକମିସନ୍‌ ମୁକ୍ତେଶ ପରଦେଶୀ ଟୁଇଟ୍‌ କରି ଲେଖିଛନ୍ତି, ନିଉଜିଲାଣ୍ଡ୍‌ ପାର୍ଲାମେଣ୍ଟ୍‌କୁ ନବନିର୍ବାଚିତ ହୋଇଥିବା ଅନ୍ୟତମ ସର୍ବକନିଷ୍ଠ ସାଂସଦ ଡାକ୍ତର ଗୌରବ ଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ନିଉଜିଲାଣ୍ଡ୍‌ର ଦେଶଜ ଭାଷା ‘ମାଓରି’ରେ ଶପଥ ନେବା ପରେ ସେ ଭାରତୀୟ ଶାସ୍ତ୍ରୀୟ ଭାଷା ସଂସ୍କୃତରେ ଶପଥ ନେଇ ଉଭୟ ଭାରତ ଓ ନିଉଜିଲାଣ୍ଡ୍‌ର ସାଂସ୍କୃତିକ ପରମ୍ପରା ପ୍ରତି ପ୍ରଗାଢ଼ ସମ୍ମାନ ପ୍ରଦର୍ଶନ କରିଛନ୍ତି।

Image Courtesy of OneIndia

ହିନ୍ଦୀ ପରିବର୍ତ୍ତେ ସଂସ୍କୃତକୁ କାହିଁକି ବାଛିଲେ ବୋଲି ପଚରା ଯିବାରୁ ଡାକ୍ତର ଗୌରବ ଶର୍ମା ଟୁଇଟ୍‌ କରି କହିଛନ୍ତି, ସତ କହିବାକୁ ଗଲେ ମୁଁ ହିନ୍ଦୀ କଥା ଭାବିଥିଲି, କିନ୍ତୁ ପରେ ମୋର ପ୍ରଥମ ଭାଷା ପାହାରି କିଂବା ପଞ୍ଜାବୀ ଭାଷାରେ ମଧ୍ୟ ଶପଥ ନେବା କଥା ଉଠିଥିଲା। ସମସ୍ତଙ୍କୁ ଖୁସି କରିବା କଷ୍ଟକର। ତେଣୁ, ସବୁ ଭାରତୀୟ ଭାଷାକୁ ଗୌରବାନ୍ଵିତ କରୁଥିବା ସଂସ୍କୃତ ଉପଯୁକ୍ତ ବୋଲି ବିଚାରିଲି।

ଡାକ୍ତରୀ ବୃତ୍ତି କରୁଥିବା ଗୌରବ ଶର୍ମା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ‘ନ୍ୟାସ୍‌ନାଲ୍‌ ପାର୍ଟି’ର ଟିମ୍‌ ମେସିଡୋନ୍‌ଙ୍କୁ ୪, ୩୮୬ରୁ ଊର୍ଦ୍ଧ୍ୱ ଭୋଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବରୁ ୨୦୧୭ରେ ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସମ୍ବନ୍ଧିତ ଖବର