ଭାରତର କୋଭିଡ୍‌ ମୃତ୍ୟୁ ୩ଲକ୍ଷ ପାର୍‌, ଆମେରିକା ଓ ବ୍ରାଜିଲ୍‌ ପରେ ତୃତୀୟ ରାଷ୍ଟ୍ର

ଦିନକରେ ୨.୪ ଲକ୍ଷ ସଂକ୍ରମଣ ସାଙ୍ଗକୁ ୩,୭୪୧ ମୃତ୍ୟୁ

ନୂଆଦିଲ୍ଲୀ: ଭାରତର ମୋଟ କୋଭିଡ୍‌ ମୃତ୍ୟୁ ଆଜି ୩ ଲକ୍ଷ ଅତିକ୍ରମ କରିଯାଇଛି। ‘ୱାର୍ଲଡୋମିଟର’ର ତଥ୍ୟ ମୁତାବକ ଆଜି ରାତି ୮ଟା ୪୦ ସୁଦ୍ଧା ଦେଶର ମୋଟ କୋଭିଡ୍‌ ମୃତ୍ୟୁ ୩୦୨,୭୪୪ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିବାରେ ଆମେରିକା ଓ ବ୍ରାଜିଲ୍‌ ପରେ ଭାରତ ତୃତୀୟ ରାଷ୍ଟ୍ର ପାଲଟିଛି। ତେବେ କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ଶନିବାର ୩ ଲକ୍ଷର ଯଥେଷ୍ଟ ତଳେ ଏପରିକି ଅଢ଼େଇ ଲକ୍ଷ ତଳକୁ ମଧ୍ୟ ଖସି ଆସିଛି। ଏଥି ସହିତ ଶୁକ୍ରବାର ତୁଳନାରେ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ କମ୍‌ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଶୁଭ ସଂକେତ ଆଣିଛି। ସେହିପରି ନୂତନ ସଂକ୍ରମିତଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ସଂଖ୍ୟାରେ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ମଧ୍ୟ ଲଗାତାର କମି ଆସିବା ଦେଶବାସୀଙ୍କୁ ଆଶ୍ବସ୍ତ କରିଛି।

ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ୪ ହଜାର ତଳକୁ କମିଆସିବା ସଂକ୍ରମଣର ଭୟାବହତା ହ୍ରାସକୁ ଇଙ୍ଗିତ କରୁଛି। ସୂଚନାନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ବିଗତ ୨୪ ଘଣ୍ଟା ଭିତରେ ୨.୪ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ମୋଟ ୨,୬୫,୩୦,୧୩୨ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୭୪୧ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ହୋଇଛି।

ଏ ସଦ୍ୟ ମୃତକଙ୍କ ଭିତରେ ମହାରାଷ୍ଟ୍ରରେ ସର୍ବାଧିକ ୬୮୨ ଜଣ, କର୍ଣ୍ଣାଟକର ୪୫୧ ଜଣ, ତାମିଲନାଡୁର ୪୪୮ ଜଣ, ଉତ୍ତରପ୍ରଦେଶର ୨୧୮ ଜଣ ଓ ପଞ୍ଜାବର ୨୦୧ ଜଣ ରହିଛନ୍ତି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୫୫,୧୦୨ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୩୪,୨୫,୪୬୭ ଜଣ ସୁସ୍ଥ ହୋଇଛନ୍ତି। ତଥାପି ଦେଶରେ ୨୮,୦୫,୩୯୯ଟି ସକ୍ରିୟ ମାମଲା ରହିଥିଲେ ହେଁ ତାହା ମୋଟ ସଂକ୍ରମିତଙ୍କର ୧୦.୫୭ ପ୍ରତିଶତକୁ ଖସି ଆସିଛି। ଅପରପକ୍ଷେ, ଦେଶରେ ଅଦ୍ୟାବଧି ୧୯,୩୩,୭୨,୯୧୮ ଜଣଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ସେହିପରି ଶୁକ୍ରବାର ଦେଶରେ ୨୧,୨୩,୭୮୨ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୩୨,୮୬,୦୭,୯୩୭ ଜଣଙ୍କର ନମୁନା ପରୀକ୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର