ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୯୩୫୨, ମୃତ୍ୟୁସଂଖ୍ୟା ୩୨୪ ଛୁଇଁଲା

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ନିକଟବର୍ତ୍ତି ହୋଇଛି । ସୋମବାର ସଂଧ୍ୟା ସୁଦ୍ଧା ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୩୫୨ରେ ପହଞ୍ଚିଛି । ଏହା ମଧ୍ୟରୁ ୮୦୪୮ଟି ସକ୍ରିୟ ସଂକ୍ରମଣ ମାମଲା ହୋଇଥିବାବେଳେ ୩୨୪ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଦେଶରେ ଏପର୍ଯ୍ୟନ୍ତ ୯୭୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟପକ୍ଷରୁ କୁହାଯାଇଛି ।
ସମଗ୍ର ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୮୫ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି । ଏହା ସହିତ ରାଜ୍ୟରେ ମୋଟ ୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମୁମ୍ବାଇର ଧରାବି ବସ୍ତୀରେ ସଂକ୍ରମିତ ସଂଖ୍ୟା ୪୭ରେ ପହଞ୍ଚିଛି । ସଂକ୍ରମଣ ମାମଲାରେ ରାଜଧାନୀ ଦିଲ୍ଲୀ ତାମିଲନାଡୁକୁ କାଟି ୨ୟ ସ୍ଥାନରେ ପହଞ୍ଚିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୫୪ ରେ ପହଞ୍ଚିଛି । ୩ୟ ସ୍ଥାନରେ ଥିବା ତାମିଲନାଡୁରେ ମୋଟ ୧୦୭୫ ଜଣ ସଂକ୍ରମିତ ଅଛନ୍ତି ।
ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୭୪ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୬ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାରରେ ପହଞ୍ଚିଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ୬୧ ହଜାର ଓ ମୃତ୍ୟୁସଂଖ୍ୟା ୨୨,୧୬୧ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର