ଗୋଗ୍ରା ହାଇଟ୍‌ସରୁ ହଟିଲେ ଭାରତ-ଚୀନ୍‌ ସେନା, ସମସ୍ତ ଅସ୍ଥାୟୀ ନିର୍ମାଣ ଭଙ୍ଗାଗଲା

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗୋଗ୍ରା ହାଇଟ୍‌ସରୁ ଉଭୟ ଭାରତ ଓ ଚୀନ୍‌ ଶୁକ୍ରବାର ଦିନ  ସେନା ପ୍ରତ୍ୟାହାର କରିନେଇଛନ୍ତି। ଗତ ଶନିବାର ଦୁଇ ଦେଶ ମଧ୍ୟରେ ହୋଇଥିବା କମାଣ୍ଡରସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ସମସ୍ତ ଅସ୍ଥାୟୀ ନିର୍ମାଣ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଶୁକ୍ରବାର ସଂପୃକ୍ତ ଅଂଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।

ପୂର୍ବ ଲଦାଖ୍‌ର ଏହି ଅଞ୍ଚଳରେ ଉଭୟ ପଟୁ ପ୍ରାୟ ୧୫ ମାସ ହେଲା ବିପୁଳ ସୈନ୍ୟ ମୁତୟନ କରାଯିବା ସହ ଅନେକ ନିର୍ମାଣ କାର୍ଯ୍ୟ ମଧ୍ୟ ହୋଇଥିଲା। ତେବେ ଏଠାରେ ବିବାଦ ପୂର୍ବରୁ ରହିଥିବା ଯଥାସ୍ଥିତି ଫେରାଇ ଆଣିବା ନିମନ୍ତେ କମାଣ୍ଡରସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏବେ ଶାନ୍ତି ଫେରିଛି। ସେନା ପ୍ରତ୍ୟାହାର ଏବଂ ନିର୍ମାଣ ହଟାଯିବା ମାମଲାରେ ଉଭୟ ପକ୍ଷ ସ୍ଥିତି ଯାଞ୍ଚ କରିଛନ୍ତି ଏବଂ ସମଗ୍ର ଗୋଗ୍ରା ହାଇଟ୍‌ସ ପୂର୍ବ ସ୍ଥିତିକୁ ଫେରିଥିବା ଘୋଷଣା କରାଯାଇଛି। ଗ୍ରୋଗ୍ରା କ୍ଷେତ୍ରରେ ଶାନ୍ତି ଫେରାଇ ଆଣିବା ପ୍ରକ୍ରିୟା ସଫଳ ହୋଇଥିବା ବେଳେ ଏବେ କେବଳ ଆଉ ୨ଟି ଅଞ୍ଚଳକୁ ନେଇ ଉତ୍ତେଜନା ଲାଗି ରହିଛି। ତାହା ହେଲା ଡେପସାଙ୍ଗ୍‌ ଏବଂ ହଟ୍‌ସ୍ପ୍ରିଙ୍ଗ୍‌। ପୂର୍ବରୁ ଗଲୱାନ ଏବଂ ପାଙ୍ଗୋଙ୍ଗ୍‌ ହ୍ରଦ୍‌ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିବାରୁ ସେଠାରେ ଏବେ କୌଣସି ଉତ୍ତେଜନା ନାହିଁ।

ଆଗାମୀ ଦିନରେ ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ମଧ୍ୟ ବୈଠକ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏଥିପାଇଁ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ହଟ୍‌ ସ୍ପ୍ରିଙ୍ଗ୍ସ ଏବଂ ଡେପ୍‌ସାଙ୍ଗ୍ ଅଞ୍ଚଳରେ ଚୀନ୍‌ ଦ୍ବାରା ସୃଷ୍ଟି କରାଯାଇଥିବା ବିବାଦର ସମାଧାନ ପାଇଁ ଭାରତ କଡ଼ା ସର୍ତ୍ତ ରଖିଛି। ଚୀନ୍‌ ଲଗାତାର ଉତ୍ତେଜନା ବଢ଼ାଇବା ଭଳି କାମ କରୁଛି। ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ପାଇଁ ହଟ୍‌ସ୍ପ୍ରିଂ ଅଞ୍ଚଳରୁ ସେନା ପ୍ରତ୍ୟାହାର ଜରୁରୀ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର