ଭାରତ-ଆମେରିକା ସମ୍ପର୍କ: ୧୪ ବର୍ଷର ସ୍ବପ୍ନକୁ ସାକାର କରିବାର ସୁଯୋଗ

ଵାସିଂଟନ: ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ବାଇଡେନ୍‌ ପ୍ରଶାସନ ପ୍ରାଥମିକତା ଦେବ ବୋଲି ନିର୍ବାଚନ ପ୍ରଚାର ବେଳେ ବାଇଡେନ୍‌ଙ୍କ ଯୋଜନା ଘୋଷଣାପତ୍ରରୁ ସ୍ପଷ୍ଟ ହୋଇଛି। ବିଶେଷ କରି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଏବଂ ସ୍ବାସ୍ଥ୍ୟ ଓ ବାଣିଜ୍ୟ ପ୍ରସଙ୍ଗରେ ଭାରତ ସହ ସହଯୋଗ ପୂର୍ବ ପରି ବଜାୟ ରଖିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକା ନିଷ୍ଠାପର ଉଦ୍ୟମ କରିବ। ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବାଇଡେନ୍‌ଙ୍କର ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ରହିଥିବା ଦୀର୍ଘ ୧୪ ବର୍ଷର ସ୍ବପ୍ନକୁ ସାକାର କରିବା ଲାଗି ଏକ ସୁଯୋଗ ପାଇଛନ୍ତି। ସ୍ମରଣ ଥାଉ କି, ୨୦୨୦ ମସିହାରେ ଭାରତ ଓ ଆମେରିକା ବିଶ୍ବର ସବୁଠୁ ଘନିଷ୍ଠ ବନ୍ଧୁ ଭାବେ ବିବେଚିତ ହେବେ ଏବଂ ତାହା ହେଲେ ହିଁ ସମଗ୍ର ପୃଥିବୀ ନିରାପଦ ରହିବ ବୋଲି ବାଇଡେନ୍‌ ୨୦୦୬ ମସିହାରେ ଏକ ସାକ୍ଷାତକାରରେ କହିଥିଲେ। ଏପରିକି ତାଙ୍କର ଲକ୍ଷ୍ୟ ପୂରଣ ପାଇଁ ସେ ୨୦୦୮ ମସିହାରେ ଆମେରିକା ସଂସଦର ନେତୃତ୍ବ ନେବା ସହ ଉଭୟ ଡେମୋକ୍ରାଟ୍‌ ଓ ରିପବ୍ଳିକାନ୍‌ମାନଙ୍କ ସହ ଆଲୋଚନା କରି ଭାରତ-ଆମେରିକା ବେସାମରିକ ଆଣବିକ ଚୁକ୍ତି ସ୍ବାକ୍ଷର କରାଇଥିଲେ। ତେବେ ଏଇ ୨୦୨୦ ମସିହାରେ ତାଙ୍କର ସେହି ପୁରୁଣା ସ୍ବପ୍ନ ଫଳବତୀ ନହେଲେ ବି ଆସନ୍ତା ଜାନୁଆରି ୨୦ରେ ସେ ରାଷ୍ଟ୍ରପତିତ୍ବ ଗ୍ରହଣ କଲା ପରେ ଏହା ହାସଲ କରିବା ଲାଗି ପ୍ରାଥମିକତା ଦେବେ ବୋଲି ବିଶେଷଜ୍ଞମାନଙ୍କ ମତ।

ଆମେରିକା ଓ ଭାରତ ପରି ଦାୟିତ୍ବସଂପନ୍ନ ରାଷ୍ଟ୍ରଙ୍କ ଭୂମିକା ବିନା ବିଶ୍ବର କୌଣସି ସାର୍ବଜନୀନ ଆହ୍ବାନର ମୁକାବିଲା କରିବା ସମ୍ଭବ ନୁହେଁ ବୋଲି ବାଇଡେନ୍‌ କହିଛନ୍ତି। ଜଣେ ଘନିଷ୍ଠ ସହଯୋଗୀ ଭାବେ ଭାରତର ସାମିରିକ ଶକ୍ତିକୁ ଅଧିକ ସୁଦୃଢ଼ କରିବା ସହ ଜଣେ ଆତଙ୍କବାଦ ବିରୋଧୀ ଅଂଶୀଦାର ଭାବେ ଭାରତର ଦକ୍ଷତାକୁ ମଧ୍ୟ ଆହୁରି ଶାଣିତ କରିବେ ବୋଲି ବାଇଡେନ୍‌ଙ୍କ ଇଚ୍ଛା।

ସମ୍ବନ୍ଧିତ ଖବର