ଦେଶରେ ସଂକ୍ରମଣ ୪ ଲକ୍ଷ ଛୁଇଁବ, ଦିନକରେ ୧୪ ହଜାରରୁ ଅଧିକ ମାମଲା

ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର ହେଲା, ପଜିଟିଭ୍‌ ହାରରେ ମହାରାଷ୍ଟ୍ରକୁ ଟପିଗଲା

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ମାମଲା ୪ ଲକ୍ଷ ଛୁଇଁବ। ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ଦିନକରେ ୧୪ ହଜାର ଟପିଯାଇଛି। ଗତକାଲି ସକାଳ ୮ରୁ ଆଜି ସକାଳ ୮ଟା ମଧ୍ୟରେ ଦେଶରେ ୧୪ ହଜାର ୫୧୬ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୭୫ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧୨ ହଜାର ୯୪୮ ରହିଛି। ସେହିପରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୧୩ ହଜାର ୮୩୦ରେ ପହଞ୍ଚିଥିବା ବେଳେ ୧ ଲକ୍ଷ ୬୮ ହଜାର ୨୬୯ ସକ୍ରିୟ ମାମଲା ରହିଛି।

ମୋଟ୍‌ ୫୪.୧୨ ପ୍ରତିଶତ ଲୋକ ଦେଶରେ ଆରୋଗ୍ୟ ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅତ୍ୟନ୍ତ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ ଗତକାଲି ଗୋଟିଏ ଦିନରେ ୩ ହଜାର ୧୩୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ସଂକ୍ରମଣ ମାମଲା ୫୦ ହଜାର ଟପିଯାଇଛି। ଏଠାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୧୩ ରହିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦିଲ୍ଲୀରେ ୬୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦିଲ୍ଲୀରେ ମୋଟ୍‌ ମୃତ୍ୟୁସଂଖ୍ୟା ୨ ହଜାର ୩୫ରେ ପହଞ୍ଚିଛି। ଜାତୀୟ ରାଜଧାନୀ ଦିଲ୍ଲୀ ଏବେ କୋଭିଡ୍‌ ପଜିଟିଭ୍‌ ହାରରେ ମଧ୍ୟ ମହାରାଷ୍ଟ୍ରକୁ ଟପିଯାଇଛି। ଦିଲ୍ଲୀରେ କୋଭିଡ୍‌ ପଜିଟିଭ୍‌ ହାର ୩୦ ପ୍ରତିଶତରେ ପହଞ୍ଚିଛି। ତେବେ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ପଜିଟିଭ୍‌ ହାର ଜୁନ୍‌ ୫ରୁ ୧୮ ମଧ୍ୟରେ ୩୦ ପ୍ରତିଶତ ହୋଇଛି। ପୂର୍ବରୁ ମେ’ ୧୯ରୁ ଜୁନ୍‌ ୧ ମଧ୍ୟରେ ଏହା ୪.୩୪ ପ୍ରତିଶତ ଥିଲା ଏବଂ ଏହାର ୧୫ ଦିନ ପୂର୍ବରୁ ତଥା ମେ’ ୭ରୁ ୨୧ ମଧ୍ୟ‌ରେ ଏହା ୭ ପ୍ରତିଶତ ଥିଲା।

ସମ୍ବନ୍ଧିତ ଖବର