ବେଙ୍ଗାଲୁରୁରେ କୃଷକ ନେତା ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼, ମାଇକ୍ ଫିଙ୍ଗିଲେ ଲୋକେ

ବେଙ୍ଗାଲୁରୁ: ଭାରତୀୟ କିଷାନ ୟୁନିଅନ(ବିକେୟୁ) ଦୁଇ ଫାଳ ହେବା ପରେ ଏବେ କୃଷକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କୃଷକ‌ ନେତା ରାକେଶ ଟିକାୟତ। ଦିଲ୍ଲୀରେ ହୋଇଥିବା କୃଷକ ଆନ୍ଦୋଳନର ନେତା ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼ କରାଯାଇଛି। ବେଙ୍ଗାଲୁରୁ ପ୍ରେସ କ୍ଲବର ଗାନ୍ଧୀ ଭବନରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ଟିକାୟତ। ଏହି ସମୟରେ ଗାନ୍ଧୀ ଭବନ ଭିତରକୁ କିଛି ଲୋକ ପଶି ଆସି ଟିକାୟତଙ୍କ ଉପରକୁ କାଳି ମାଡ଼ କରିବା ସହ ମାଇକ୍ ଫିଙ୍ଗିଥିଲେ।

ଯେତେବେଳେ ତାଙ୍କ ଉପରେ କାଳି ପକାଯାଇଥିଲା ସେତେବେଳେ ସେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିଲେ। ଏହି ଘଟଣା ପରେ ଟିକ‌ାୟତଙ୍କ ଉପରେ କାଳି ପକାଇବା ଅଭିଯୋଗରେ ତିନି ଜଣଙ୍କୁ ଅଟକ ରଖାଯାଇଥିବା ହାଇ ଗ୍ରାଉଣ୍ଡ ପୁଲିସ ଷ୍ଟେସନ ସୂଚନା ଦେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର କୃଷକ ନେତା କୋଡିହଲ୍ଲୀ ଚନ୍ଦ୍ରଶେଖରଙ୍କ ଉପରେ କରାଯାଇଥିବା ଷ୍ଟିଙ୍ଗ ଅପରେସନ ସହ ଜଡିତ ଭିଡିଓ ବିଷୟରେ ସଫେଇ ଦେଉଥିବା ବେଳେ ଟିକାୟତଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଏହି ଷ୍ଟିଙ୍ଗ୍ ଅପରେସନ୍ ଏକ ଚ୍ୟାନେଲ୍ ଦ୍ୱାରା କରାଯାଇଥିଲା, ଯେଉଁଥିରେ କୋଡିହଲ୍ଲୀ ଟଙ୍କା ମାଗୁଥିବା ଦେଖାଯାଇଥିଲା।

ତେବେ କାଳି ମାଡ଼ ପ‌ରେ ଟିକାୟତ ରାଜ୍ୟ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି। ଏଠାରେ ସ୍ଥାନୀୟ ପୁଲିସ ଦ୍ୱାରା ଆମକୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା। ସରକାରଙ୍କ ନିର୍ଦ୍ଦେଶରେ ଏସବୁ ଘଟିଛି ବୋଲି କହିଛନ୍ତି ଟିକାୟତ।

ସମ୍ବନ୍ଧିତ ଖବର