ଯୁବ ସମାଜ ସର୍ବୋଚ୍ଚ ଶକ୍ତିର ଅଧିକାରୀ: ରାଜ୍ୟପାଳ

ଆନ୍ତର୍ଜାତିକ ଶୋଭନୀୟ ଯୁବ ୱେବ୍‍ ସମ୍ମିଳନୀ

ମାକ୍‍ଲିନ୍‍/ଟରୋଣ୍ଟୋ/ଲଣ୍ଡନ/ମାଞ୍ଚେଷ୍ଟର/ନୂଆଦିଲ୍ଲୀ/ଭୁବନେଶ୍ୱର : ଯୁବ ସମାଜ ସର୍ବୋଚ୍ଚ ଶକ୍ତିର ଅଧିକାରୀ। ଯୁବ ସମାଜ ଅଜସ୍ର, ଅଦମ୍ୟ, ଅପ୍ରତିହତ, ଅନନ୍ୟ ଓ ଅପାର ଶକ୍ତିର ଭଣ୍ଡାର। ସମଗ୍ର ସଂସାରରେ କରୋନାର ମୁକାବିଲା ଓ ଏହାକୁ ପରାଜିତ କରିବା ପାଇଁ ଯୁବକମାନେ ବେଶ୍‍ ସକ୍ଷମ ଓ ସଦା ସମର୍ଥ। ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆୟୋଜିତ ୨୧ତମ ଆନ୍ତର୍ଜାତିକ ଯୁବ ୱେବ୍‍ ସମ୍ମିଳନୀକୁ ଉଦ୍‍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ୍‍ ଏପରି କହିଛନ୍ତି। ସାମ୍ପ୍ରତିକ ମହାମାରୀ କାଳରେ ‘ମାନସିକ ସୁସ୍ଥତା ଏବଂ ଜନ ମନୋବଳ ବୃଦ୍ଧି’ ଶୀର୍ଷକ ଆଲୋଚନାଚକ୍ରରେ ରାଜ୍ୟପାଳ ଶ୍ରୀ ଲାଲ, ବର୍ତ୍ତମାନ ସମୟରେ ସମାଜରେ ଶାନ୍ତି, ସଂହତି, ସଦାଚାର, ସନ୍ତୁଷ୍ଟି, ସଦ୍‍ଭାବନା ଓ ସକାରାତ୍ମକ ବାର୍ତ୍ତାର ପ୍ରଚାରପ୍ରସାର କରାଇବା ପାଇଁ ଯୁବପିଢ଼ିଙ୍କୁ ନିବେଦନ କରିଥିଲେ।

ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଏବଂ ସମ୍ମିଳନୀର ସଭାନେତ୍ରୀ ଡ. ଅରୁନ୍ଧତୀ ଦେବୀ ସ୍ୱାଗତ ଭାଷଣ‌ରେ କହିଲେ ଯେ ଯୁବକମାନେ ଶାନ୍ତ, ଶିଷ୍ଟ, ସ୍ନେହୀ, ସତ୍ୟନିଷ୍ଠ, ସଚ୍ଚୋଟ ଏବଂ ଶୃଙ୍ଖଳିତ ହେବା ଉଚିତ। ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ ସମୟରେ ଜନସାଧାରଣଙ୍କ ମାନସିକ ସୁସ୍ଥତାକୁ ବଜାୟ ରଖିବା କ୍ଷେତ୍ରରେ ଯୁବ ସମାଜ ସେମାନଙ୍କ ଗୁରୁଦାୟିତ୍ୱ ନିର୍ବାହ ପାଇଁ ଆଗକୁ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବକମାନଙ୍କୁ ଦୁଶ୍ଚିନ୍ତା ଓ ବିଷାଦରୁ ଦୂରେଇ ରହି ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ଅତିଥି ବକ୍ତା ଆମେରିକାରେ ଅବସ୍ଥାପିତ ଯୁବ ଶିଳ୍ପୋଦ୍ୟୋଗୀ ଅନୁଭବ ମିଶ୍ର ମହାମାରୀ ଜନିତ ପ୍ରତିବନ୍ଧକ ଆମ ସମ୍ମୁଖରେ ବହୁମୁଖୀ ସୁଯୋଗର ଭଣ୍ଡାର ସୃଷ୍ଟି କରିଥିବା ସୂଚାଇଥିଲେ। ଏହି ଅବସରରେ ସମ୍ମିଳନୀର ସ୍ମରଣିକା ଯୁବସୂର୍ଯ୍ୟ ଉନ୍ମୋଚିତ ହୋଇଥିଲା।

ଏହି ଅନ୍‍ଲାଇନ୍‍ କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରର ଶୋଭନୀୟ ଆନ୍ଦୋଳନର ପ୍ରତିନିଧି, ବହୁ ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ବିଶ୍ୱଭରି ବୁଦ୍ଧିଜୀବୀ ଏବଂ ବିଦ୍ୱାନ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଶୋଭନୀୟ ବାହିନୀ ଦ୍ବାରା ପ୍ରାରମ୍ଭିକ ସଂଗୀତ ‘ହେ ଯୁବା’ ପରିବେଷଣ କରାଯାଇଥିଲା। କ୍ଷୀରାବ୍ଦୀ ତନୟା ଜେନାଙ୍କ ଦ୍ୱାରା ପରିବେଷିତ ଶୋଭନୀୟ ଆନ୍ଦୋଳନ ଆଧାରିତ ସଂଗୀତ ‘ସୂର୍ଯ୍ୟ ସେନାନୀ ଆମେ’ ବେଶ୍‍ ମର୍ମସ୍ପର୍ଶୀ ଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, କୃପାନିଧି ବିଶ୍ୱାଳ, ଅକ୍ଷୟ ମହାନ୍ତି, ଡ. ଅନିତା ପଣ୍ଡା, ଡ. ରବିନାରାୟଣ ବେହେରା, କସ୍ତୁରିକା ପଟ୍ଟନାୟକ, ସୁନନ୍ଦା ମିଶ୍ର ପଣ୍ଡା, ପ୍ରଭାତୀ ପାଣିଗ୍ରାହୀ, କୃଷ୍ଣ କୁମାର, ନିରାକାର ବେଉରା, ମମତା ପ୍ରଧାନ, କାବେରୀ ବେହେରା, ରୀତା ପାତ୍ର, ରବି ମହାପାତ୍ର, ଚିରଞ୍ଜୀବୀ ସ୍ୱାଇଁ, ସତ୍ୟବ୍ରତ ମହାନ୍ତି, ସନ୍ଦୀପନ ପାତ୍ର, ଯୋଗାଚାର୍ଯ୍ୟ ଭାଗୀରଥି, ଉମାକାନ୍ତ ଭୂୟାଁ, ପ୍ରଦୀପ୍ତ କୁମାର ମିଶ୍ର, ମନୋଜ ନାୟକ ଓ ଶ୍ରୀମା ରାଣୀ ଦାସ ପ୍ରମୁଖଙ୍କ ସମେତ ଦେଶ ବିଦେଶରୁ ବହୁ ଓଡ଼ିଆ ବିଦ୍ବାନ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର