ଧରାପଡ଼ିଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌ଆଇ’କୁ ଭାରତୀୟ ସେନାର ସୂଚନା ବିକ୍ରୟ କରୁଥିବା ଦୁଇ ଗୁପ୍ତଚର

ନୂଆଦିଲ୍ଲୀ/ଜୟପୁର: ପାକିସ୍ତାନର ’ଆଇଏସ୍ଆଇ’କୁ ‘ଷ୍ଟ୍ରାଟେଜିକ୍ ଆର୍ମି ଇନ୍‌ଷ୍ଟଲେସନ୍’ ବିଷୟରେ ସୂଚନା ହସ୍ତାନ୍ତର କରୁଥିବା ଭାରତର ଦୁଇ ଜଣ ବେସାମରିକ ପ୍ରତିରକ୍ଷା କର୍ମଚାରୀଙ୍କୁ ସୋମବାର ଦିନ ସାମରିକ ଗୁଇନ୍ଦା ଏବଂ ରାଜସ୍ଥାନ ପୁଲିସ ଧରିଛି। ଦୁଇ ଭାରତୀୟଙ୍କ ମଧ୍ୟରୁ ଜଣେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପାକିସ୍ତାନୀ ମହିଳା ଆଇଏସ୍‌ଆଇ’ ସଦସ୍ୟଙ୍କ ଦ୍ବାରା ହନିଟ୍ରାପ୍ ହୋଇଥିବା ଜଣାପଡ଼ିଛି।

ସରକାରୀସୂତ୍ରରୁ ଜଣାପଡ଼ିଛି ଯେ, ସେନା ଗୋଳାବାରୁଦ ଡିପୋରେ କାର୍ଯ୍ୟରତ ୨୯ ବର୍ଷିୟ ବିକାଶ କୁମାର ନାମକ ଜଣେ ବେସାମରିକ ପ୍ରତିରକ୍ଷା କର୍ମଚାରୀ ଓ ସେନାର ମହାଜନ ଫିଲ୍‌ଡ୍ ଫାଇରିଙ୍ଗ୍ ରେଞ୍ଜ୍‌ ଠାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ବେସାମରିକ କର୍ମଚାରୀ ୨୨ ବର୍ଷିୟ ଚିମନ୍‌ ଲାଲ୍‌ଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଛି। ଦୁହେଁ ପାକିସ୍ତାନର ‘ଆଇଏସ୍‌ଆଇ’ ପାଇଁ ଗୁପ୍ତଚରଗିରି କରୁଥିବା କଥା ରାଜସ୍ଥାନ ପୁଲିସ ଲକ୍ଷ୍ନୌର ସାମରିକ ଗୁଇନ୍ଦା ଠାରୁ ସୂଚନା ପାଇଥିଲା।

ଶ୍ରୀଗଙ୍ଗାନଗର ଠାରେ ଥିବା ‘ଗୋଳାବାରୁଦ ଡିପୋ’ ଏବଂ ବିକାନେର୍ ଠାରେ ଥିବା ‘ମହାଜନ ଫିଲ୍‌ଡ୍ ଫାଇରିଙ୍ଗ୍ ରେଞ୍ଜ୍‌’ ଭାରତର ପଶ୍ଚିମ ସୀମାନ୍ତରେ ଅତି ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିଷ୍ଠାନ।

ଗୁଇନ୍ଦା ଏଜେଣ୍ଟ୍ ବିକାଶ କୁମାର ପାକିସ୍ତାନରେ ଥିବା ତା’ର ହ୍ୟାଣ୍ଡ୍‌ଲର୍‌କୁ ସାମରିକ ସୂଚନା ହସ୍ତାନ୍ତର କରୁଛି ବୋଲି ୨୦୧୯ ଅଗଷ୍ଟ ମାସରେ ଲକ୍ଷ୍ନୌର ସାମରିକ ଗୁଇନ୍ଦା ତା’ର ଗୁଇନ୍ଦାମାନଙ୍କ ମାଧ୍ୟମରେ ଜାଣିବାକୁ ପାଇଥିଲା। ଫେସ୍‌ବୁକ୍‌ ଜରିଆରେ ବିକାଶ କୁମାର ମୁଲ୍‌ତାନ୍‌ଠାରେ ଥିବା ‘ପାକିସ୍ତାନୀ ଇଣ୍ଟେଲିଜେନ୍‌ସ୍‌ ଅପରେଟିଭ୍‌’ର ଜଣେ ମହିଳା ଗୁଇନ୍ଦାଙ୍କ ପାଲରେ ପଡ଼ିଯାଇଥିଲେ। ଜଣେ ହିନ୍ଦୁ ଓ ଭାରତରେ ରହନ୍ତି ବୋଲି ଦର୍ଶାଇ ଏହି ମହିଳାଜଣକ ‘ଅନୋକ୍ଷା ଚୋପ୍ରା’ ନାମରେ ଏକ ଜାଲ୍ ଫେସ୍‌ବୁକ୍‌ ଆକାଉଣ୍ଟ୍ ଚଳାଉଥିଲେ।

Image Courtesy of Times Now

୨୦୨୦ ଜାନୁଆରି ମାସରେ ଲକ୍ଷ୍ନୌ ଗୁଇନ୍ଦା ଏ ସଂକ୍ରାନ୍ତରେ ଉତ୍ତର ପ୍ରଦେଶର ଆଣ୍ଟି-ଟେରର୍‌ ସ୍କ୍ବାଡ୍‌କୁ ଜଣାଇବା ପରେ ବିକାଶ କୁମାରଙ୍କ ଉପରେ କଡ଼ା ଦୃଷ୍ଟି ରଖାଯାଇଥିଲା। ଏହି ଅଭିଯାନର ନାମ ଥିଲା ‘ଡେଜର୍ଟ ଚେସ୍’। ଏହି ଅଭିଯାନ ସମୟରେ ଜଣାପଡ଼ିଥିଲା ଯେ, ଚୁକ୍ତିଭିତ୍ତିକ କର୍ମଚାରୀ ଚିମନ୍ ଲାଲ୍‌ଙ୍କ ଜରିଆରେ ବିକାଶ କୁମାର ‘ମହାଜନ ଫିଲ୍‌ଡ୍ ଫାଇରିଙ୍ଗ୍ ରେଞ୍ଜ୍‌’ ଠାରେ ଥିବା ଗୋଟାଏ ୱାଟର୍ ପଏଣ୍ଟ୍/ପମ୍ପ୍‌ ହାଉସ୍‌ର ‘ୱାଟର୍ ଡିଷ୍ଟ୍ରିବ୍ୟୁସନ୍‌’ ରେଜିଷ୍ଟର୍‌ର ‌ଫଟୋ ସଂଗ୍ରହ କରିଛି। କିନ୍ତୁ, ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ଏହି ଅଭିଯାନ ବାଧା ପାଇଥିଲା।

ଗତ ମାସରେ ଗୁଇନ୍ଦା ଏଜେନ୍‌ସିମାନେ ଏ କଥା ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍‌ସ୍‌କୁ ଜଣାଇଥିଲେ। ଏହାପରେ ଲକ୍ଷ୍ନୌର ସାମରିକ ଗୁଇନ୍ଦା ଏବଂ ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍‌ସ୍‌ର ଏକ ମିଳିତ ଟିମ୍ ଗଠନ କରାଯାଇ ପ୍ରାପ୍ତ ତଥ୍ୟକୁ ଅନୁଶୀଳନ କରାଯାଇ ପ୍ରମାଣ ଏକତ୍ର କରାଯାଇଥିଲା। ଏହାଛଡ଼ା, ଗୁଇନ୍ଦା ଏଜେନ୍ସିମାନେ ଜାଣିବାକୁ ପାଇଲେ ଯେ, ନିକଟ ଅତୀତରେ ମଧ୍ୟ ଅର୍ଥ ବଦଳରେ ପାକିସ୍ତାନକୁ ଆହୁରି କିଛି ସୂଚନା ହସ୍ତାନ୍ତର ‌କରାଯାଇଛି।

ସୋମବାର ଦିନ ଗୁଇନ୍ଦା ଏଜେନ୍‌ସିମାନେ ବିକାଶ କୁମାରଙ୍କୁ ଗିରଫ କରି ଗୁପ୍ତଚର ନେଟ୍‌ୱାର୍କ କଥା ଲୋକଲୋଚନକୁ ଆଣିଛନ୍ତି। ବିକାଶ କୁମାର ହେଉଛନ୍ତି ଝୁନ୍‌ଝୁନୁ ଜିଲ୍ଲା ଅନ୍ତର୍ଗତ ବାହାଦୁରୱାସ୍ ଗାଁର ବାସିନ୍ଦା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପୁଅ। ଚିମନ୍ ଲାଲ୍‌ ହେଉଛନ୍ତି ବିକାନେର୍ ଜିଲ୍ଲା ଅନ୍ତର୍ଗତ ଅଜିତମାନା ଗ୍ରାମର ବାସିନ୍ଦା।

Image Courtesy of National Herald

ଗତବଷର୍ ମାର୍ଚ କିଂବା ଏପ୍ରିଲ୍ ମାସରେ ‘ଅନୋକ୍ଷା ଚୋପ୍ରା’ଙ୍କ ଫେସ୍‌ବୁକ୍ ପ୍ରୋଫାଇଲ୍‌ରୁ ଫ୍ରେଣ୍ଡ୍‌ ରିକ୍ବେଷ୍ଟ୍‌ ପାଇ ତାହାକୁ ଗ୍ରହଣ କରିଥିବା କଥା ସ୍ବୀକାର କରିଛନ୍ତି। ସେମାନେ ଅତ୍ୟନ୍ତ ବନ୍ଧୁଭାବାପନ୍ନ ହୋଇ ହ୍ବାଟ୍‌ସ୍ଆପ୍ ନମ୍ବର ସେୟାର୍ କରି ଚ୍ୟାଟିଙ୍ଗ୍ ଓ ଭିଡିଓ ଅଡିଓ କଲ୍ କରୁଥିଲେ। ପରେ ସେ ମହିଳାଜଣକ ଅମିତ କୁମାର ସିଂହ ବୋଲି ଛଦ୍ମନାମ ଧାରଣ କରିଥିବା ତା’ର ‘ବସ୍‌’ଙ୍କ ସହ ବିକାଶ କୁମାରଙ୍କ ପରିଚୟ କରାଇ ଦେଇଥିଲେ।

ସୂଚନା ଦେବା ବାବଦକୁ କୁମାର ୭୫ ହଜାର ଟଙ୍କା ପାଇଥିଲେ ଏବଂ ସେଥିରୁ ଲାଲ୍‌ଙ୍କୁ ୯ ହଜାର ଟଙ୍କା ଦେଇଥିଲେ ବୋଲି ସ୍ବୀକାର କରିଛନ୍ତି। ଉଭୟଙ୍କୁ ଖୁବ୍‌ ଶୀଘ୍ର ସ୍ଥାନୀୟ ଅଦାଲତରେ ହାଜର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର