ପୁଣି ଇତିହାସ ରଚିଲା ଇସ୍ରୋ : ୩୧ ଉପଗ୍ରହର ସଫଳ ପ୍ରକ୍ଷେପଣ

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେ‌ଷଣା ପ୍ରତିଷ୍ଠାନ (ଇସ୍ରୋ) ପୁଣି ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ଉପଗ୍ରହ ହାଇସିସ୍‌ (ହାଇପର୍‌ ସ୍ପେକ୍ଟ୍ରାଲ ଇମେଜିଂ ସାଟେଲାଇଟ୍‌) ସମେତ ୮ଟି ରାଷ୍ଟ୍ରର ସମୁଦାୟ ୩୧ଟି ଉପଗ୍ରହକୁ ଗୋଟିଏ ଅଭିଯାନରେ ସଫଳ ପ୍ରକ୍ଷେପଣ କରିଛି।

ଆଜି ସକାଳ ୯ଟା ୫୮ ମିନିଟ୍‌ ସମୟରେ ଆନ୍ଧପ୍ରଦେଶର ଶ୍ରୀହରିକୋଟାରୁ ପିଏସ୍‌ଏଲ୍‌ଭି (ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେଇକଲ୍‌) ସି୪୩ ର‌କେଟ୍‌ ଦ୍ବାରା ଏହି ୩୧ଟି ଉପଗ୍ରହଗୁଡ଼ିକୁ ଦୁଇଟି କକ୍ଷପଥରେ ଛଡ଼ା ଯାଇଥିଲା। ସମସ୍ତ ଉପଗ୍ରହ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଥିବା ଇସ୍ରୋ ସୂତ୍ରରୁ ଜଣାପଡ଼ିଛି।

ଏଥିରେ ଛଡ଼ାଯାଇଥିବା ହାଇପର୍‌ ସ୍ପେକ୍ଟ୍ରାଲ୍‌ ଇମେଜିଂ ସାଟେଲାଇଟ୍‌ (ହାଇସିସ୍‌)ର ସଫଳ ପ୍ରକ୍ଷେପଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହ‌ି ଭୂ-ଅବଲୋକନ ଉପଗ୍ରହ ହାଇସିସ୍‌ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଇସ୍ରୋ ଛାଡ଼ିଥିବା ଅନ୍ୟ ବିଦେଶ ରାଷ୍ଟ୍ରମାନଙ୍କର ୩୦ ଉପଗ୍ରହ‌ରେ ୨୯ଟି ନାନୋ ଉପଗ୍ରହ ଏବଂ ଗୋଟିଏ ମାଇକ୍ରୋ ଉପଗ୍ରହ ରହିଛି। ପ୍ରକ୍ଷେପଣର ମାତ୍ର ୧୭ ମିନିଟ୍‌ ୨୭ ‌ସେକେଣ୍ଡ୍‌ ପରେ ସମସ୍ତ ଉପଗ୍ରହଗୁଡ଼ିକ ଗୋଟିଏ ପରେ ଗୋଟିଏ କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

ହାଇସିସ୍‌ ହେଉଛି ଏକ ଅତ୍ୟାଧୁନିକ ଭୂ-ନିରୀକ୍ଷଣ ଉପଗ୍ରହ, ଯାହାର ଓଜନ ୩୮୦ କିଲୋଗ୍ରାମ୍‌। ଏଭଳି ପୂର୍ଣ୍ଣାଙ୍ଗ ଉପଗ୍ରହ ଛଡ଼ାଯିବା ଭାରତ ପାଇଁ ପ୍ରଥମ। ଭୂପୃଷ୍ଠର ବିସ୍ତୃତ ଅଧ୍ୟୟନ କରି ନିୟମିତ ବ୍ୟବଧାନରେ ଏହି ଉପଗ୍ରହ ରିପୋର୍ଟ ପ୍ରଦାନ କରିବ। ଆଜି ଛଡ଼ାଯାଇଥିବା ଉପଗ୍ରହ ମଧ୍ୟରେ ୨୩ଟି ଆମେରିକାର ରହିଛି। ଆମେରିକାର ୨୩ ଉପଗ୍ରହ ମଧ୍ୟରେ ୨୨ଟି ନାନୋ ସାଟେଲାଇଟ୍ ଏବଂ ଗୋଟିଏ ମାଇକ୍ରୋ ସାଟେଲାଇଟ୍‌ ରହିଛି। ତେବେ ପିଏସ୍‌ଏଲ୍‌ଭି ସି୪୩ ରକେଟ୍‌ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ, କଲମ୍ବିଆ, ମ‌ାଲେସିଆ ଏବଂ ସ୍ପେନ୍‌ର ଉପଗ୍ରହ ପ୍ରକ୍ଷେପଣ କରିଛି।

ସମ୍ବନ୍ଧିତ ଖବର