୬ରେ ଓଡ଼ିଶା ଫେରିବେ ଜଗା ବଳିଆ; ଏସ୍‌ସିବିରେ ଭର୍ତ୍ତି ହେବେ

ଭୁବନେଶ୍ବର: ସେପଟେମ୍ବର ୬ ତାରିଖରେ ଓଡ଼ିଶା ଫେରିବେ ଜଗା ବଳିଆ।  ସେପଟେମ୍ବର ୬ ତାରିଖରେ ଦିଲ୍ଲୀ ଏମ୍‌ସରୁ  ଡିସଚାର୍ଜ ହେବେ ଓ ୭ ତାରିଖରେ କଟକ ଏସ୍‌ସିବିରେ ଭର୍ତ୍ତି ହେବେ ବୋଲି ସୂଚନା ମିଳିଛି। ଜଗା-କାଳିଆଙ୍କ ସହ ଏମ୍‌ସର ଏକ ଡାକ୍ତରୀ ଦଳ ଆସିବେ ଓ ସେମାନଙ୍କ ସହ  ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସେପଟେମ୍ବର ୬ ତାରିଖରେ ଜଗା ବଳିଆ ରାଜଧାନୀ ଏକ୍ସପ୍ରେସରେ ଯାତ୍ରାରମ୍ଭ କରି ୭ରେ କଟକରେ ପହଞ୍ଚି ଏସ୍‌ସିବିରେ ଭର୍ତ୍ତି ହେବେ।

ଏସ୍‌ସିବିରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜଗା-ବଳିଆ ଏସ୍‌ସିବି ପହଞ୍ଚିବା ମାତ୍ରେ ନ୍ୟୁରୋସର୍ଜରୀ ବିଭାଗରେ ଭର୍ତ୍ତି ହେବେ ଓ ତୁରନ୍ତ ସେମାନଙ୍କୁ ସର୍ଜରୀ ବିଭାଗରେ ଥିବା ସାଂସଦ/ବିଧାୟକଙ୍କ ପାଇଁ ଥିବା କ୍ୟାବିନ୍‌ରେ ରଖାଯିବ ବୋଲି ସୂଚନା ମିଳିଛି। ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ଶିଶୁରୋଗ ବିଭାଗ, ସର୍ଜରୀ ବିଭାଗ ପ୍ରଫେସରଙ୍କୁ ନେଇ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଥିବା ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

କନ୍ଧମାଳର ଫିରିଙ୍ଗିଆ ବ୍ଲକ୍‌ର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହେବା ପରେ ଦୀର୍ଘ ଦୁଇ ବର୍ଷ ହେଲା ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଜଗା-ବଳିଆଙ୍କ ବାପା ମା’ ଆଉ ଦିଲ୍ଲୀରେ ରହିବା ପାଇଁ ରାଜି ନ ହେବା ଓ ସେମାନଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରିବା‌ ପାଇଁ କହିଥିଲେ। କିନ୍ତୁ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦର୍ଶାଇ ଭୁବନେଶ୍ବର ଏମ୍‌ସରେ ସେମାନଙ୍କୁ ରଖିବା ପାଇଁ ମନା କରିଥିଲେ। ଶେ‌ଷରେ ଜଗା-ବଳିଆଙ୍କୁ କଟକ ବଡ଼ ମେଡିକାଲରେ ରଖି ଚିକିତ୍ସା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଭୁବନେଶ୍ବରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର