ସ୍ପଷ୍ଟ କଲା ଏନ୍‌ଟିଏ: ଧାର୍ଯ୍ୟ ସମୟରେ ହେବ ଜେଇଇ-ନିଟ୍‌

୮୦% ଛାତ୍ରଛାତ୍ରୀ ପରୀକ୍ଷା ଚାହାନ୍ତି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଇଞ୍ଜିନିୟରିଂ ଓ ଡାକ୍ତରୀ ଶିକ୍ଷା ଲାଭ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଟ୍ ଓ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେପ୍ଟେମ୍ବରରେ ପରୀକ୍ଷା ପରିଚାଳନା ପାଇଁ ଏନଟିଏ ପ୍ରସ୍ତୁତ। କିନ୍ତୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୁଇ ଭାଗରେ ବିଭକ୍ତ। କିଛି ଛାତ୍ରଛାତ୍ରୀ କ୍ୟାରିୟରକୁ ଗୁରୁତ୍ବ ଦେଇ ପରୀକ୍ଷା ସପକ୍ଷରେ ମତ ଦେଇଥିବାବ‌େଳେ ଆଉ କିଛି ଛାତ୍ରଛାତ୍ରୀ ଜୀବନ ବିପଦରେ ପଡ଼ିବା ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ପରୀକ୍ଷା ଆୟୋଜନ ଉପରେ ଏବେ ସମସ୍ତଙ୍କ ନଜର…

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ମାସରେ ଜେଇଇ(ମେନ୍‌) ଓ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏହାର ପରିଚାଳନା କରୁଥିବା ଜାତୀୟ ପରୀକ୍ଷା ସଂସ୍ଥା(ଏନ୍‌ଟିଏ) ଆଜି ପୁଣିଥରେ ସ୍ପଷ୍ଟ କରିଛି। ଏଥି ସହିତ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତା ବଜାୟ ରଖି ଦେଶର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ କିପରି ନିରାପଦ ଓ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଅନୁଷ୍ଠିତ ହେବ, ସେଥିପାଇଁ ଏନ୍‌ଟିଏ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ପ୍ରବେଶିକା ପରୀକ୍ଷା ଦ୍ବୟକୁ ଘୁଞ୍ଚାଇବା ଲାଗି ବିଭିନ୍ନ କ୍ଷେତ୍ରରୁ ଦାବି ସତ୍ତ୍ବେ ଏନ୍‌ଟିଏର ସଦ୍ୟ ଘୋଷଣା ପରୀକ୍ଷାର୍ଥୀମାନଙ୍କ ତତ୍ପରତା ବଢ଼ାଇ ଦେଇଛି।

ସୂଚନା ଥାଉ କି, ଆସନ୍ତା ସେପ୍ଟେମ୍ବର ୧ ଓ ୬ ତାରିଖ ଭିତରେ ଜେଇଇ ମେନ୍‌ ପରୀକ୍ଷା ଓ ସେପ୍ଟେମ୍ବର ୧୩ ତାରିଖରେ ନିଟ୍‌ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଜେଇଇ ପାଇଁ ସାଢ଼େ ଆଠ ଲକ୍ଷରୁ ଅଧିକ ଏବଂ ନିଟ୍‌ ପାଇଁ ପାଖାପାଖି ୧୬ ଲକ୍ଷ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବା ବେଳେ ମହାମାରୀର ଭୟାବହତା ଭିତରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ କିଭଳି ନିରାପଦ ଭାବେ ପରୀକ୍ଷା ଦେବେ ବୋଲି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ପରୀକ୍ଷାକୁ ଘୁଞ୍ଚାଇବା ଲାଗି ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ। ସେହିପରି ସ୍ବେଡେନ୍‌ର ପ୍ରଖ୍ୟାତ କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ମଧ୍ୟ ଅନୁରୂପ ମତ ରଖିଥିଲେ। ତେବେ ପୂର୍ବରୁ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଦେଇଥିଲେ। ଏହାପରେ ଏନ୍‌ଟିଏ ପରୀକ୍ଷା ପରିଚାଳନା ପାଇଁ ଆଗେଇ ଆସିଛି।

୮୦% ଛାତ୍ରଛାତ୍ରୀ ପରୀକ୍ଷା ଚାହାନ୍ତି: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ: ଦେଶର ୮୦ ଭାଗ ଛାତ୍ରଛାତ୍ରୀ ଓ ଅଭିଭାବକ ସେପ୍‌ଟେମ୍ବରରେ ନିଟ୍‌ ଓ ଜେଇଇ ମେନ୍‌ ପରୀକ୍ଷା ହେବାକୁ ଚାହାନ୍ତି ବୋଲି ‌କେନ୍ଦ୍ର ଶିକ୍ଷାମନ୍ତ୍ରୀ ‌ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। କରୋନା ମହାମାରୀ ସତ୍ତ୍ବେ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀ ଚାହୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିଭଳି ୮୦ ପ୍ରତିଶତ ଛାତ୍ରଛାତ୍ରୀ ଆଗାମୀ ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ ମଧ୍ୟ ଡାଉନଲୋଡ କରି ସାରିଲେଣି। ଜେଇଇ ମେନ୍‌ ଏବଂ ନିଟ୍‌ ପରୀକ୍ଷା କରାଯାଉ ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ସରକାରଙ୍କ ଉପରେ ମଧ୍ୟ ଚାପ ପକାଉଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଜେଇଇ ପାଇଁ ୮.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭.୨୫ ଲକ୍ଷ ଛାତ୍ରଛାତ୍ରୀ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ୍‌ କରି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର