କରୋନା ଚିହ୍ନଟ ମୃତ ବ୍ୟକ୍ତିଙ୍କ ତାଲିକା ରଖୁଛି କିଏ?

ଅଣ କୋଭିଡ୍‌ ହସ୍ପିଟାଲରେ ମଧ୍ୟ ହେଉଛି କରୋନା ମୃତ୍ୟୁ
କ୍ୟାପିଟାଲ ହସ୍ପିଟାଲରେ ୨ମାସରେ ଚିହ୍ନଟ ହେଲେଣି ୧୮ରୁ ଅଧିକ

ଭୁବନେଶ୍ୱର : ରାଜ୍ୟର ଅଣ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଯେଉଁ କରୋନା ମୃତ୍ୟୁ ହେଉଛି ତାହାର ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ଯାଉଛି ତ? ନା କେବଳ କୋଭିଡ୍‌ ହସ୍ପିଟାଲରେ ହେଉଥିବା ମୃତ୍ୟୁକୁ ହିଁ କରୋନା ଜନିତ ମୃତ୍ୟୁ ବୋଲି ଧରି ନିଆଯାଉଛି। କ୍ୟାପିଟାଲ ହସ୍ପିଟାଲରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ପ୍ରାଣ ହରାଇବା ଓ ପରବର୍ତୀ ସମୟ‌ରେ କରୋନା ଚିହ୍ନଟ ହେବା ଏଭଳି ପ୍ରଶ୍ନ ଉଙ୍କି ମାରିବାକୁ ଆରମ୍ଭ କରିଛି। କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ, ରାଜ୍ୟର ବିଭିନ୍ନ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ମଧ୍ୟ ଏଭଳି ଅନେକ ମୃତ୍ୟୁ ହୋଇଥିବା ବେଳେ ଏସବୁ ମୃତ୍ୟୁର ଅଡିଟ୍‌ ହେଉଛି କି ନାହିଁ ତାହା ଜଣାପଡ଼ୁନାହିଁ।

ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ୩୫ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଏହାସହ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ରହିଛି। ଏ ଦୃଷ୍ଟିରୁ ମେଡିକାଲ କଲେଜର ଆଇେସୋଲେସନ୍ ୱାର୍ଡକୁ ବାଦ୍ ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ଅଣ କୋଭିଡ୍‌ ହସ୍ପିଟାଲ ଭାବେ ପରିଗଣିତ ହେଉଛି। ତେବେ ଅଣ କୋଭିଡ୍‌ ହସ୍ପିଟାଲରେ ପ୍ରାଣ ହରାଉଥିବା ରୋଗୀ ପରବର୍ତୀ ସମୟରେ ନମୁନା ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ମାତ୍ର ଏସବୁ ରୋଗୀଙ୍କ ମୃତ୍ୟୁ ରାଜ୍ୟର କରୋନାର ମୃତ୍ୟୁ ତାଲିକାରେ ସ୍ଥାନ ପାଉନାହିଁ। କ୍ୟାପିଟାଲ ହସ୍ପିଟାଲରେ ଗତ ୨ମାସରେ ଏଭଳି ୧୮ଜଣ ମୃତ ବ୍ୟକ୍ତିଙ୍କର ପରୀକ୍ଷା ପରେ କରୋନା ସଂକ୍ରମିତ ଥିବା ନଜରକୁ ଆସିଛି। ଗତ ଜୁଲାଇ ମାସରେ ୧୦ ଓ ଚଳିତ ମାସରେ ଏ ପର୍ଯ୍ୟନ୍ତ ୮ଜଣ ମୃତ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ବ୍ୟକ୍ତିଙ୍କ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଯାଇଛି। ହେଲେ ଡାକ୍ତର ଶବ ବ୍ୟବଚ୍ଛେଦ କରିବା ପୂର୍ବରୁ ନମୁନା ପରୀକ୍ଷା କରିବାରୁ ସେମାନେ ପଜିଟିଭ୍ ବାହାରୁଛନ୍ତି। ଏଥିରେ କେବଳ ଭୁବନେଶ୍ବର ନୁହେଁ, ଏକାଧିକ ଜିଲ୍ଲାରୁ ରୋଗୀ ରେଫର ହୋଇ କ୍ୟାପିଟାଲ ହସ୍ପିଟାଲକୁ ଆସିଥିବା ବେଳେ ହିଁ ରିସିଭ୍ ଡେଡ୍‌ ଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାର ଦୁଇ ପ୍ରକାର ମୃତ୍ୟୁ ଦର୍ଶାଯାଉଛି। ଗୋଟିଏ କରୋନା ଜନିତ ଓ ଅନ୍ୟଟି କରୋନା ସଂକ୍ରମିତ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇବା। ତେବେ କରୋନା ସଂକ୍ରମିତ ରିସିଭ୍ ଡେଡ୍‌ ରୋଗୀଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ଡେଥ୍ ଅଡିଟ୍‌ କରାଯିବା ପରେ ହିଁ ସ୍ପଷ୍ଟ ହୋଇପାରିବ। ମାତ୍ର ଏସବୁ ରୋଗୀଙ୍କ ତାଲିକା ସ୍ବାସ୍ଥ୍ୟ ବିଭାଗକୁ ଯାଉ ନ ଥିବା କାରଣରୁ କରୋନା ମୃତ୍ୟୁ ତାଲିକାରେ ଏହା ଆସିପାରୁନାହିଁ। କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ମୃତକଙ୍କ ଘର ଯେଉଁ ଥାନା ଅଧୀନରେ ସେହି ଥାନା ପକ୍ଷରୁ ହସ୍ପିଟାଲକୁ ପ୍ରଥମେ ଏ ସଂପର୍କରେ ସୂଚନା ଦିଆଯାଉଛି। ପୁଲିସ ପକ୍ଷରୁ ସଂପୃକ୍ତ ମୃତକଙ୍କ ରିକ୍ବିଜିସନ୍ ଦିଆଯିବା ପରେ ତାଙ୍କର କୋଭିଡ୍‌ ନମୁନା ପରୀକ୍ଷା କରାଯାଉଛି। ଯେଉଁ ରିସିଭ୍ ଡେଡ୍‌ ରୋଗୀ ପଜିଟିଭ୍ ଚିହ୍ନଟ ହେଉଛନ୍ତି ତାଙ୍କର ରିପୋର୍ଟକୁ ନ୍ୟାସନାଲ ପୋର୍ଟାଲରେ ଅପଲୋଡ୍‌ କରି ଦିଆଯାଉଛି। ଡିଏମ୍‌ଇଟିଙ୍କ ନିକଟରେ ସମସ୍ତ ସୂଚନା ଦିଆଯାଉଛି। ପରବର୍ତୀ ସମୟରେ ସଂପୃକ୍ତ ମୃତ ରୋଗୀଙ୍କୁ କୋଭିଡ୍‌ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଭାବେ ନିୟୋଜିତ ହୋଇଥିବା ଡାକ୍ତର, ଆଟେଣ୍ଡାଣ୍ଟ, ସୁଇପର ନିର୍ଦ୍ଦିଷ୍ଟ ସ୍ଥାନରେ ଦାହ କରୁଛନ୍ତି।

ରିସିଭ୍ ଡେଡ୍‌ ସଂକ୍ରମିତଙ୍କ ସୂଚନା ଆସୁନାହିଁ: ସ୍ବାସ୍ଥ୍ୟ ଅଧିକାରୀ
ଅଣ କୋଭିଡ୍‌ ହସ୍ପିଟାଲରେ ରିସଭ୍ ଡେଡ୍‌ ବ୍ୟକ୍ତି କରୋନା ସଂକ୍ରମିତ ଥିବା ସୂଚନା ସ୍ବାସ୍ଥ୍ୟ ବିଭାଗକୁ ଆସୁ ନ ଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସୂଚତା ମୁତାବକ, କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଡେଥ୍ ଅଡିଟ୍‌ କରାଯାଉଛି। ଏଥିରେ ସଂପୃକ୍ତ ବ୍ୟକ୍ତି ଜଣକ କରୋନା କିମ୍ବା ଅଣ କରୋନା ରୋଗରେ ପ୍ରାଣ ହରାଇଛନ୍ତି ଚିକିତ୍ସା କାଗଜପତ୍ରରୁ ତାହା ସ୍ପଷ୍ଟ ହୋଇପାରୁଛି। ମାତ୍ର ଅନ୍ୟ ହସ୍ପିଟାଲରେ ରିସିଭ୍ ଡେଡ୍‌ ରୋଗୀ କରୋନା ସଂକ୍ରମିତ ହେବା ନେଇ ସୂଚନା ନାହିଁ। କୋଭିଡ୍‌ ସନ୍ଦିଗ୍ଧଙ୍କୁ କୋଭିଡ୍‌ ମୃତ୍ୟୁ ଭଳି ସତ୍କାର ପାଇଁ ନିୟମ ରହିଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ସଂପର୍କରେ କେବଳ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା। ଅନ୍ୟ ସ୍ଥାନରୁ ଏଭଳି ସୂଚନା ଆସିନାହିଁ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ଘରୋଇ ହସ୍ପିଟାଲରେ କରୋନା ମୃତ୍ୟୁର ସୂଚନା ଦିଆଯାଉଛି: ବିଏମ୍‌ସି
କୋଭିଡ୍‌ ହସ୍ପିଟାଲ କିମ୍ବା ସରକାରୀ ଅଣ କୋଭିଡ୍‌ ହସ୍ପିଟାଲରେ କରୋନା ମୃତ୍ୟୁ ହେଲେ ସରକାରଙ୍କୁ ସିଧାସଳଖ ସଂପୃକ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଉଛି। ଏଥିରେ ବିଏମ୍‌ସି କର୍ତୃପକ୍ଷଙ୍କ ସୂଚନା ପ୍ରଦାନ କରିବା ନେଇ କୌଣସି ଭୂମିକା ନାହିଁ। ତେବେ ରାଜଧାନୀର ଘରୋଇ ହସ୍ପିଟାଲରେ ଯଦି କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି ତାହାଲେ ସଂପୃକ୍ତ ରୋଗୀଙ୍କ ଡେଥ୍ ଅଡିଟ୍‌ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଉଛି।

ସମ୍ବନ୍ଧିତ ଖବର