ଝାଡ଼ଖଣ୍ଡ ଅପରେସନ ଶେଷ: ୪୦ ଘଣ୍ଟା ଆକାଶରେ ଝୁଲି ରହିବା ପରେ ବାକି ୧୫ ପର୍ଯ୍ୟଟକ ଉଦ୍ଧାର ପାଇଲେ

ଦେଓଘର: ଝାଡ଼ଖଣ୍ଡ କେବୁଲ କାର ଦୁର୍ଘଟଣା ପରେ ଆକାଶରେ ଝୁଲି ରହିଥିବା ୪୦ରୁ ଅଧିକ ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ଭାରତୀୟ ବାୟୁସେନା ହେଲିକପ୍ଟର ମଙ୍ଗଳବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସୋମବାର ରାତିରେ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିବା ପରେ ଫସି ରହିଥିବା ବାକି ୧୫ ଜଣଙ୍କୁ ଆଜି ସକାଳେ ଉଦ୍ଧାର କରାଯାଇଛି। ଏହି କାର୍ଯ୍ୟରେ ବାୟୁସେନା, ସ୍ଥଳସେନା, ଏନ୍‌ଡିଆର୍‌ଏଫ୍‌ (ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ), ଆଇଟିବିପି (ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ) ଏବଂ ଜିଲ୍ଲା ପ୍ରଶାସନ ଭାଗ ନେଇଥିଲେ।

ଦେଓଘର ତ୍ରିକୂଟ ପର୍ବତରେ ଭାରତର ଉଚ୍ଚତମ ‌ରୋପ୍‌ୱେ ବ୍ୟବସ୍ଥା କରାଯାଇଛି। କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇଟି କେବୁଲ କାର ଭିତରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହେବା ସହ ୪୮ ଜଣ ୧୫୦୦ ଫୁଟ ଉଚ୍ଚରେ ଆକାଶରେ ଫସି ରହିଥିଲେ। ପାହାଡ଼ପର୍ବତ ଓ ଜଙ୍ଗଲ ଉପରେ ରୋପ୍‌ୱେ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହୋଇ ନ ଥିଲା ଏବଂ ଏଥିପାଇଁ ବାୟୁସେନାର ଦୁଇଟି ମି୧୭ ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ଓ ପରେ ଉଦ୍ଧାର କାର୍ଯ୍ୟ ସମୟରେ ଆଉ ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି।

ଯେଉଁ କେବୁଲ କାରରେ ଗୋଟିଏ କେବିନରେ ୪ ଜଣ ବସିବା କଥା ସେଠି ପିଲାଙ୍କୁ ମିଶାଇ ୭ ଜଣ ପର୍ଯ୍ୟନ୍ତ ବସାଯାଉଥିଲା ବୋଲି ଅଭିଯୋଗ ହୋଇଛି। ତେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଥିବା ବେଳେ ଝାଡ଼ଖଣ୍ଡ ହାଇକୋର୍ଟ ଦୁର୍ଘଟଣାର କାରଣ ସମ୍ବନ୍ଧରେ ଏପ୍ରିଲ ୨୫ ସୁଦ୍ଧା ଉତ୍ତର ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ରାଜ୍ୟପାଳ ରମେଶ ବୈଶ୍ୟ ଦେଓଘର ପରି ଧାର୍ମିକ ସ୍ଥଳରେ ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଏବଂ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର