ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ପରାମର୍ଶ ଦେଲେ ଜିନ୍‌ପିଙ୍ଗ୍‌

ବେଜିଂ: ସୈନ୍ୟମାନଙ୍କ ତାଲିମକୁ ବ୍ୟାପକ କର। ଦୃଢ଼ ପ୍ରତିଜ୍ଞାର ସହିତ ସାର୍ବଭୌମତ୍ବକୁ ରକ୍ଷା କର ଏବଂ ଦେଶର ସାମଗ୍ରିକ ସ୍ଥିରତାକୁ ରକ୍ଷା କର। ଏଥିସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଙ୍କ ଦେଶର ସେନାକୁ ଏହି ପରାମର୍ଶ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍‌ ସହିତ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ ଖରାପ ହୋଇଛି। ଲଦାଖରେ ଏବେ ଭାରତ ସହିତ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ହଂକଂରେ ମଧ୍ୟ ଚୀନ୍ ବିରୋଧୀ ସ୍ବର ଦେଖାଦେଇଛି। ଏଥିସହିତ ତାଇୱାନକୁ ନିଜ ଅଧୀନକୁ ପୁଣି ଆଣିବା ଲାଗି ହେଉଥିବା ଚୀନରେ ରାଜନେତା ଓ କୂଟନୀତିଜ୍ଞମାନେ ମତ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଚୀନ୍ ରାଷ୍ଟ୍ରପତିଙ୍କ ଏହି ଧମକ ଭାରତ ସମେତ ବିଶ୍ବର ଅନ୍ୟ ଦେଶର ଚିନ୍ତା ବଢ଼ାଇ ଦେଇଛି। ଚୀନ୍ ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ଉଦ୍ଧାର‌ କରି ଚୀନ୍‌ର ସରକାରୀ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ତାଇୱାନକୁ ନିଜ ଅକ୍ତିଆରକୁ ଆଣିବା ଚୀନର ପରବର୍ତ୍ତୀ ଅଭିଯାନ ବୋଲି କୁହାଯାଉଛି। ଏଥିପାଇଁ ଚୀନ୍ ସାମରିକ ଉଦ୍ୟମ ଚଳାଇଛି। ଲାୟନିଂ ଓ ସାନଡଙ୍ଗ୍ ନାମକ ଏହି ଦୁଇଟି ଯୁଦ୍ଧ ପୋତ ଏବେ ବୋହାଇ ସାଗରରେ ରହିଥିବା ଏକ ସୂତ୍ରରୁ ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଦୁଇଦିନ ପୂର୍ବେ ଚୀନର ବିରଷ୍ଠ କୂଟନୀତିଜ୍ଞ ୱାଙ୍ଗ ୟି ଆମେରିକାର କେତେକ ରାଜନେତାଙ୍କୁ ଦୃଢ଼ ସମାଲୋଚନା କରିଥିଲେ। କୋଭିଡ-୧୯ ମହାମାରୀ ପାଇଁ ଚୀନ୍‌କୁ ଟାର୍ଗେଟ୍‌ କରାଯାଇ ଗୁଜବ ପ୍ରଚାର କରାଯାଉଥିବାରୁ ସେ ଅ‌ସନ୍ତୋଷ ବ୍ୟକ୍ତ କରିଥିଲେ। ଚୀନ ସହିତ ଆମେରିକା ଏହାର ସମ୍ପର୍କକୁ ନୂଆ ଶୀତଳ ଯୁଦ୍ଧର ଦ୍ବାରଦେଶକୁ ଠେଲି ନେଉଛି ବୋଲି ସେ କହିଥିଲେ। କରୋନା ସଂକ୍ରମଣ ବ୍ୟାପିବା ପାଇଁ ଚୀନ୍‌କୁ ଦାୟୀ କରାଯାଇ ଗୁଜବ ପ୍ରଚାର କରାଯାଉଥିବାରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପକ୍ଷରେ ଭାରତ ସହିତ ଚୀନର ୩୪୮୮ କିମି ଦୀର୍ଘ ସୀମା ରହିଛି। ଗତ କିଛିଦିନ ହେଲା ଲଦାଖରେ ଦୁଇ ଦେଶର ସେନା ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ତେଣୁ ଭାରତ ସହିତ ଉତ୍ତେଜନା ବଢ଼ିଯାଇଛି। ଉଭୟ ଦେଶ ‌ସୀମାର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ସୈନ୍ୟ ଠୁଳ କରିବା ଆରମ୍ଭ ‌କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ଚୀନ ରାଷ୍ଟ୍ରପତିଙ୍କ ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବାକୁ ପିପୁଲ୍ସ ଲିବରେସନ ଆର୍ମିକୁ ପରାମର୍ଶ ଦେବା ପରେ ବିଶ୍ବରେ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର