ମଧ୍ୟପ୍ରଦେଶରେ ଆରମ୍ଭ ହେଲା ‘କମଳରାଜ’

ଭୋପାଳ: ମଧ୍ୟପ୍ରଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ‘କମଳରାଜ’। ମଧ୍ୟପ୍ରଦେଶ ପିସିସି ସଭାପତି କମଳନାଥ କଂଗ୍ରେସ ବିଧାୟକ ଦଳ ନେତାଭାବେ ନିର୍ବାଚିତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ କମଳନାଥଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ବିଜେପି ବିରୋଧରେ ଲଢ଼ି ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଶିବରାଜ ସିଂହ ଚୌହାନଙ୍କ ସରକାରକ ପଦଚ୍ୟୁତ କରି ରାଜ୍ୟରେ ପୁଣି କଂଗ୍ରେସକୁ କ୍ଷମତାସୀନ କରିଛନ୍ତି। ତେବେ ଦଳ ମଧ୍ୟପ୍ରଦେଶରେ ମ୍ୟାଜିକ୍‌ ନମ୍ବର ଠାରୁ ମାତ୍ର ୨ଟି ଆସନରୁ ବଞ୍ଚିତ ହୋଇ୧୧୪ଟି ଆସନରେ ବିଜୟୀ ହୋଇଥିଲା। ତେବେ ବିଜେପିର ବିରୋଧୀଭାବେ ଜଣାଶୁଣା ବିଏସପି ଓ ସମାଜବାଦୀ ପାର୍ଟି କଂଗ୍ରେସକୁ ସମର୍ଥନ ଦେବା ପାଇଁ ଘୋଷଣା କରିବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଥିଲା। ତେବେ କମଳନାଥ ଓ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟର ମୁଖ୍ୟମନ୍ତ୍ରୀ ପଦବି ପାଇଁ ଟଣା ଓଟରା ଲାଗିବା ପରେ ଶେଷରେ ରାହୁଳ ଗାନ୍ଧୀ ହସ୍ତକ୍ଷେପ କରି କମଳନାଥଙ୍କୁ ମଧ୍ୟପ୍ରଦେଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ସ୍ଥିର କରିଥିଲେ।
ଆଜିର ଏହି ଶପଥଗ୍ରହଣ ଉତ୍ସବରେ କେବଳ କମଳନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦଳର ଅନ୍ୟ ମନ୍ତ୍ରୀ ମାନେ ପରେ ଶପଥ ଗ୍ରହଣ କରିବେ। ଏହି ଶପଥଗ୍ରହଣ ଉତ୍ସବରେ କ୍‌ଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଚ ଡି ଦେବଗୌଡ଼ା, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଫାରୁକ ଅବଦୁଲ୍ଲା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ,ଏନସିପି ନେତା ଶରତ ପାଓ୍ଵାର, ମଧ୍ୟପ୍ରଦେଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର