କର୍ଣ୍ଣାଟକରେ ଥମୁନି ବିବାଦ, ଜେଡିଏସ୍‌ ବି ଦୁଇଫାଳ

ୟେଦୁରପ୍ପାଙ୍କୁ ସମର୍ଥନ ପାଇଁ ଗୋଟିଏ ଗୋଷ୍ଠୀର ଚାପ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରାୟ ମାସେ ହେଲା ଚାଲିଥିବା ରାଜନୈତିକ ନାଟକର ପରିସମାପ୍ତି ଘଟିବା ସହ ଜେଡିଏସ୍‌ରେ ତୀବ୍ର ଆଭ୍ୟନ୍ତରୀଣ କନ୍ଦଳ ଆରମ୍ଭ ହୋଇଯାଇଛି। ଜେଡିଏସ୍‌ର ଏକ ବିଧାୟକ ଗୋଷ୍ଠୀ ବି.ଏସ୍. ୟେଦୁରପ୍ପାଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ ଜେଡିଏସ୍‌ ସମର୍ଥନ ଦେଉ ବୋଲି ଚାପ ସୃଷ୍ଟି କରିଛନ୍ତି। ଏଥିପାଇଁ ସେମାନେ ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ସେମାନଙ୍କ ନିଷ୍ପତ୍ତି ସଂପର୍କରେ ଜଣାଇ ଦେବା ସହ କଂଗ୍ରେସଠାରୁ ଦୂରେଇ ରହିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଗତ ରାତିରେ ଜେଡିଏସ୍‌ ବିଧାୟକ ଦଳ ବୈଠକରେ ଏହି ପ୍ରସଙ୍ଗରେ ତୀବ୍ର ମତଭେଦ ଦେଖିବାକୁ ମିଳିଥିଲା। କେତେକ ବି‌ଧାୟକ କୁମାରସ୍ବାମୀଙ୍କୁ ଜେଡିଏସ୍‌ ବିଜେପି ସରକାରରେ ସାମିଲ ହେଉ କିମ୍ବା ବାହାରୁ ସମର୍ଥନ ଦେଉ ବୋଲି ପ୍ରସ୍ତାବ ଦେବା ପରେ ଅନ୍ୟମାନେ ଏହାକୁ ବିରୋଧ କରିଥିଲେ। ଏହି ପ୍ରସଙ୍ଗରେ ବୈଠକରେ ହଟ୍ଟଗୋଳ ମଧ୍ୟ ହୋଇଥିଲା। ତେବେ କୁମାରସ୍ବାମୀ ବିଜେପି ସରକାରକୁ ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ଏବଂ ସୋମବାର ହିଁ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ା କହିଛନ୍ତି, ଆମେ ବିଜେପି ସରକାରକୁ ସମର୍ଥନ କରିବୁ ନାହିଁ। ବିଜେପି ସରକାରକୁ ସମର୍ଥନ ପ୍ରସଙ୍ଗରେ ପୁଣି ବଡ଼ ଧରଣର ବିଦ୍ରୋହ ଆଶଙ୍କା ଥିବାରୁ କୁମାରସ୍ବାମୀ ଏ ଦିଗରେ କିଭଳି ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ୟେଦୁରପ୍ପା ୩୧ ଜୁଲାଇରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ବିଧାନସଭାରେ ଏବେ ମୋଟ ୨୨୨ ବିଧାୟକ ଅଛନ୍ତି ଏବଂ ସରକାର ଗଠନ ପାଇଁ ବିଜେପିକୁ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଆଣିବ ବିଜେପି
ବିଦ୍ରୋହୀ ବିଧାୟକଙ୍କ ସଂପର୍କରେ ନୂଆ ବାଚସ୍ପତି ନିଷ୍ପତ୍ତି ନେବେ!
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜ୍ୟ ବିଜେପି ମୁଖ୍ୟ ବି.ଏସ୍‌. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ଦୀର୍ଘ ୩ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟର ପରିସମାପ୍ତି ଘଟିଛି। ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପୂର୍ବରୁ ଏବେ ନୂଆ ରାଜନୈତିକ ନାଟକ ସାମ୍ନାକୁ ଆସିଛି। ବିଧାନସଭା ବାଚସ୍ପତି କେ.ଆର୍‌. ରମେଶ କୁମାର ତୁରନ୍ତ ଇସ୍ତଫା ଦେବାକୁ ବିଜେପି ସିଧାସଳଖ ବାର୍ତ୍ତା ଦେଇଥିଲେ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତି ସଂପର୍କରେ କିଛି ଜଣାପଡ଼ିନାହିଁ। କଂଗ୍ରେସ ଏବଂ ଜେଡିଏସ୍‌ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରାଯିବା କିମ୍ବା ସେମାନଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ନିଷ୍ପତ୍ତି ବାଚସ୍ପତି ନେଇନାହାନ୍ତି। ଏହା ବର୍ତ୍ତମାନ ସ୍ଥିତିରେ ଆଉ ଏକ ସଙ୍କଟ ସୃଷ୍ଟି କରିବା ସମ୍ଭାବନା ରହିଛି। ବାଚସ୍ପତି ଯଦି ଇସ୍ତଫା ନ ଦିଅନ୍ତି ତା’ହେଲେ ତାଙ୍କୁ ହଟାଇବା ପାଇଁ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଗମ୍ଭୀରତାର ସହ ବିଚାର କରୁଛି। ସାଧାରଣତଃ ବାଚସ୍ପତି ଶାସକ ଦଳ କିମ୍ବା ମେଣ୍ଟର ହୋଇଥାନ୍ତି। ସୋମବାର ଦିନ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପରେ ନୂଆ ସରକାର ଅର୍ଥ ବିଲ୍‌ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଏହା ମଧ୍ୟରେ ବାଚସ୍ପତି ଇସ୍ତଫା ନଦେଲେ ତାଙ୍କ ବିରୋଧରେ ଅନାସ୍ଥା ଆସିବ ବୋଲି ଅନେକ ବରିଷ୍ଠ ନେତା କହିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ବାବଦରେ ଯେଭଳି ନୂଆ ବାଚସ୍ପତି ନିଷ୍ପତ୍ତି ନେବେ ସେ ଦିଗରେ ବିଜେପି ପ୍ରୟାସ ଜାରି ରଖିଛି । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ବଦଳରେ ଯଦି ସେମାନଙ୍କ ଇସ୍ତଫା ଗ୍ରହଣ କରାଯିବ ତା’ହେଲେ ବିଜେପି ପାଇଁ ଏହା ଫାଇଦାଜନକ ହେବ।

ସମ୍ବନ୍ଧିତ ଖବର