ସ୍ବାଭାବିକ ହେଉଛି କଶ୍ମୀର: ସ୍କୁଲ ଖୋଲିଲା, ମସ୍‌ଜିଦରେ ନମାଜ୍ ଅନୁମତି

ଜମ୍ମୁରୁ ୧୪୪ ହଟିଲା, ୟେଚୁରି, ଡି. ରାଜା ବିମାନ ବନ୍ଦରରେ ଅଟକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବିଗତ ୫ ଦିନ ଧରି କର୍ଫ୍ୟୁ ବଳବତ୍ତର ଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ସାମୟିକ ଭାବେ କର୍ଫ୍ୟୁ ପ୍ରତ୍ୟାହାର ହୋଇଛି। ରାଜ୍ୟରେ ଫୋନ୍‌, ଇଣ୍ଟରନେଟ୍‌ ସେବା ମଧ୍ୟ ଆଂଶିକ ଭାବେ କାମ କରୁଛି। ଜମ୍ମୁ ଏବଂ କଶ୍ମୀରର ବିଭିନ୍ନ ବଜାର ଅଂଚଳରେ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରୁଛନ୍ତି। ଆଜି କଡ଼ା ସୁରକ୍ଷା ବଳୟ ଭିତରେ ସ୍କୁଲ, କଲେଜ ଖୋଲାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ଦେଖିବାକୁ ମିଳିଛି। ମସ୍‌ଜିଦ୍‌ଗୁଡ଼ିକରେ ନମାଜ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଇଦ୍‌କୁ ଦୃଷ୍ଟିରେ ରଖି ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଯୋଜନାବଦ୍ଧ ଭାବେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଯେଭଳି ଆଗକୁ କୌଣସି ସମସ୍ୟା ନହେବ ସେଥିପାଇଁ ପ୍ରଶାସନ ଏବଂ ସୁରକ୍ଷା ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଶୁକ୍ରବାର ନମାଜ ପ୍ରାର୍ଥନା ପାଇଁ ମଧ୍ୟ କର୍ଫ୍ୟୁ କୋହଳ କରାଯବା ପରେ ଅନେକ ଅଂଚଳରେ ସ୍ଥିତି ସ୍ବାଭାବିକ ହୋଇଛି। ସ୍ଥାନୀୟ ଯୁବଗୋଷ୍ଠୀକୁ ବିଭ୍ରାନ୍ତ କରି ସେନା ଉପରେ ଆକ୍ରମଣ କରିବାକୁ ବିଚ୍ଛିନ୍ନତାବାଦୀମାନେ କରିଥିବା ପ୍ରୟାସକୁ ପଣ୍ଡ କରିଦିଆଯାଇଛି। ବିଭିନ୍ନ ସାମାଜିକ ଓ ଧାର୍ମିକ ଗୋଷ୍ଠୀକୁ ଶାନ୍ତି ରକ୍ଷା ଦିଗରେ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରାଯାଇଛି। ଜମ୍ମୁରୁ ୧୪୪ ଧାରା ପ୍ରତ୍ୟାହାର କରାଯିବା ପରେ ସ୍ଥିତି ଦ୍ରୁତ ଗତିରେ ସ୍ବାଭାବିକ ହେବାରେ ଲାଗିଛି।

ଧାରା ୩୭୦ ହଟାଯିବା ପରେ ହିଂସାତ୍ମକ ବିକ୍ଷୋଭ ଆଶଙ୍କା କରି ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି। ଗତରାତିରେ ପ୍ରଧାନମନ୍ତ୍ରୀ କଶ୍ମୀର ମାମଲାରେ ଦେଶବାସୀଙ୍କୁ ଦେଇଥିବା ଉଦ୍‌ବୋଧନ ଲୋକଙ୍କୁ ଆଶ୍ବସ୍ତ କରିଛି ଏବଂ ଏହି ଅଂଚଳରେ ବିକାଶର ଦ୍ବାର ଉନ୍ମୁକ୍ତ ହେବ ବୋଲି ଅନେକ ସ୍ଥାନୀୟ ବାସିନ୍ଦା କହିଛନ୍ତି। କଶ୍ମୀରରେ ଖୁବ୍‌ଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ ଏବଂ ଲୋକେ ଦେଶର ମୁଖ୍ୟସ୍ରୋତରେ ସାମିଲ ହୋଇ ଏହି ଅଂଚଳର ଭାଗ୍ୟ ପରିବର୍ତ୍ତନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ସିପିଆଇ ନେତା ଡି. ରାଜା ଏବଂ ସିପିଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଅଟକାଯାଇଥି‌ଲା ଏବଂ ପରେ ଦିଲ୍ଲୀ ଫେରାଇ ଦିଆଯାଇଛି। ଗତକାଲି କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କୁ ମଧ୍ୟ ଶ୍ରୀନଗରରେ ପ୍ରବେଶ କରିବାକୁ ଅନୁମତି ମିଳିନଥିଲା। କଶ୍ମୀରରେ ସଭା ସମିତି ଏବଂ ସମାବେଶ ଉପରେ କଟକଣା ବଳବତ୍ତର ରହିଛି।

ସମ୍ବନ୍ଧିତ ଖବର