ଧାରା ୩୭୦ ଉଚ୍ଛେଦ, କଶ୍ମୀର ବାସିନ୍ଦାଙ୍କ ବିପୁଳ ସମର୍ଥନ ରହିଛି

ପାକ୍‌ ଷଡ଼ଯନ୍ତ୍ର ଯୋଗୁଁ ହିଁ କଶ୍ମୀର ଅଶାନ୍ତ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ କଶ୍ମୀରର ଅଧିକାଂଶ ଲୋକ ସମର୍ଥନ କରୁଛନ୍ତି। କଶ୍ମୀର ବାସିନ୍ଦାମାନେ ହୃଦ୍‌‌ବୋଧ କରୁଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରେ ସେମାନଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ। ଜମ୍ମୁ କଶ୍ମୀରରେ ସେନାର ଦମନ ନୀତି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ଜମ୍ମୁ କଶ୍ମୀରରେ କେବଳ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ପାଇଁ ସେନା ମୁତୟନ ‌ହୋଇଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସଏ) ଅଜିତ ଡୋଭାଲ ଆଜି କହିଛନ୍ତି। ପାକିସ୍ତାନ କଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ସୀମାଠାରୁ ମାତ୍ର ୨୦ କିମି ଦୂର‌‌ରେ ପାକିସ୍ତାନୀ ଯୋଗାଯୋଗ ଟାୱାର ରହିଛି। ପାକିସ୍ତାନ ଏହାଦ୍ବାରା ଆତଙ୍କବାଦୀଙ୍କ ନିକଟକୁ ବାର୍ତ୍ତା ପଠାଉଛି ବୋଲି ଡୋଭାଲ୍‌ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି।

ପାକିସ୍ତାନ ପ୍ରାୟ ୨୩୦ ଆତଙ୍କବାଦୀଙ୍କୁ କଶ୍ମୀରକୁ ଅନୁପ୍ରବେଶ କରାଇବାପାଇଁ ପ୍ରସ୍ତୁତ କରି ରଖିଛି। ସେମାନଙ୍କ ମଧ୍ୟରୁ କେତେଜଣ କଶ୍ମୀରକୁ ଅନୁପ୍ରବେଶ କରି ସାରିଛନ୍ତି। ଆତଙ୍କବାଦୀଙ୍କୁ କଶ୍ମୀରରେ ବଡ଼ ଧରଣର ହିଂସା ସୃଷ୍ଟି କରିବାକୁ କୁହାଯାଇଛି। ଯଦି ସେମାନେ ବିଶୃଙ୍ଖଳା ସୃଷ୍ଟି କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ନିକଟକୁ ବନ୍ଧୁକ ବଦଳରେ ଚୁଡ଼ି ପଠାଯିବ ବୋଲି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଧମକ ଦିଆଯାଇଥିବା ଡୋଭାଲ କହିଛନ୍ତି। କଶ୍ମୀରରେ ‌ଅନେକ ସ୍ଥାନରୁ କଟକଣା ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି ଏବଂ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସେବା ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇ ସାରିଥିବା ଡୋଭାଲ କହିଛନ୍ତି। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ରାଜନେତାମାନଙ୍କୁ ଅଟକ ରଖାଯିବା ପ୍ରସଙ୍ଗ‌ରେ ବୟାନ ରଖି ଡୋଭାଲ କହିଛନ୍ତି, ସେମାନଙ୍କ ବିରୋଧରେ କୌଣସି ଅପରାଧ ପାଇଁ ମାମଲା ରୁଜୁ କରାଯାଇ ନାହିଁ। କେବଳ ଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟ ସଂପାଦନ କରିବାପାଇଁ ଉତ୍ତମ ପରିବେଶ ସୃଷ୍ଟି ହେବା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯିବ ବୋଲି ଡୋଭାଲ କହିଛନ୍ତି। ଆଇନ ଅନୁଯାୟୀ ରାଜନେତାମାନଙ୍କୁ ଅଟକ ରଖାଯାଇଛି। ଯେଉଁମାନେ ଚାହିବେ କୋର୍ଟରେ ସେମାନଙ୍କ ଅଟକ ରହିବା ପ୍ରସଙ୍ଗକୁ ଚ୍ୟାଲେଂଜ କରିପାରିବେ ବୋଲି ଡୋଭାଲ କହିଛନ୍ତି।

ସମ୍ବନ୍ଧିତ ଖବର