କିଟ୍ ବିଶ୍ବବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏମିନେନ୍‌ସ’ ମାନ୍ୟତା

ଚନ୍ଦ୍ରଶେଖରପୁର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କିଟ୍’ ବିଶ୍ବବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍‌ସ’ ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହି‌ଛନ୍ତି, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ବର ଅନ୍ୟ ମର୍ଯ୍ୟଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରୟାସ ଆରମ୍ଭ କରିଥିଲେ। ଏହି ପ୍ରକିୟାରେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରୁ କେଉଁଗୁଡ଼ିକ ଆଗାମୀ ଦିନରେ ଆହୁରି ଉନ୍ନତି କରିପାରିବେ ଏବଂ ବିଶ୍ବର ଅନ୍ୟ ମର୍ଯ୍ୟଦାଜନକ ଅନୁଷ୍ଠାନ ସହ ସମକକ୍ଷ ହୋଇପାରିବେ ସେଥି ନିମନ୍ତେ ପ୍ରାକ୍ତନ ମୁଖ୍ୟ ନିର୍ବାଚନ କମିଶନର ଏନ୍. ଗୋପାଳସ୍ବାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। କମିଟି ଦେଶର ୧୦ଟି ପ୍ରମୁଖ ସରକାରୀ ଓ ୧୦ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍‌ସ’ ମାନ୍ୟତା ପ୍ରଦାନ ନିମନ୍ତେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି)କୁ ସୁପାରିଶ କରିଥିଲେ। ଏହି ମାନ୍ୟତା ପାଇବାରେ କିଟ୍‌ ଓଡ଼ିଶା ତଥା ପୂର୍ବ ଭାରତରେ ଏକମାତ୍ର ଘରୋଇ ଅନୁଷ୍ଠାନ। ଏଥିନିମନ୍ତେ ଗତ ୪ ତାରିଖରେ ମନ୍ତ୍ରାଳୟ ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟକୁ (ଲେଟର ଅଫ୍ ଇଣ୍ଟେଣ୍ଟ) ପ୍ରଦାନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମନ୍ତଙ୍କ ସହ କିଟ୍ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଏବଂ କୁଳସଚିବ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର