ଆଜିଠାରୁ ଖୋଲିଲା ପ୍ରସିଦ୍ଧ ଶୈବକ୍ଷେତ୍ର କେଦାରନାଥ, ବରଫପାତ ଯୋଗୁଁ ମନ୍ଦିର ବର୍ଷର ଅଧିକାଂଶ ସମୟ ବନ୍ଦ ରହେ

ନୂଆଦିଲ୍ଲୀ : ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଅନ୍ୟତମ କେଦାରନାଥ ଧାମ ଆଜି ଖୋଲିଛି । ହିମାଳୟ କୋଳରେ ଥିବା ପ୍ରାୟ ୧୨ ଶହ ବର୍ଷ ତଳର ଏହି ମନ୍ଦିରକୁ ଆଦି ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିବା କୁହାଯାଏ । ଆଜି ସକାଳେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ବିଧିବିଧାନ ପରେ ମନ୍ଦିର ଖେଲାଯାଇଥିଲା । ଉତ୍ତରାଖଣ୍ଡରେ ଥିବା ଚାରିଧାମ ମଧ୍ୟରେ କେଦାରନାଥ ଅନ୍ୟତମ । ଅନ୍ୟ ୩ଟି ଧାମ ହେଲା ଗଙ୍ଗୋତ୍ରୀ, ଯମୁନେତ୍ରୀ, ବଦ୍ରିନାଥ ।
ହିମାଳୟରେ ଥିବା ଏହି ମନ୍ଦିର କେବଳ ଖରାଦିନକୁ ଛାଡିଦେଲେ ବର୍ଷର ଅଧିକାଂଶ ସମୟ ବରଫାବୃତ ଥିବାରୁ ବନ୍ଦ ଥାଏ । ଶୀତଋତୁ ଆସିବା ପରେ ମନ୍ଦିରର ଚଳନ୍ତି ଶ୍ରୀବିଗ୍ରହଙ୍କୁ ତଳି ଅଞ୍ଚଳରେ ଥିବା ଏକ ଗାଁ ଉଖିମଠକୁ ସ୍ଥାନାନ୍ତରିତ କରାଯାଇଥାଏ । ଖରାଦିନ ଆସିଲେ ବରଫ ତରଳିବା ସହ ମନ୍ଦିର ଖୋଲିଥାଏ ଓ ଉଖିମଠରୁ ଶ୍ରୀବିଗ୍ରହଙ୍କୁ ଏକ ପାରମ୍ପରିକ ପଟୁଆରରେ ଅଣାଯାଇଥାଏ । ୨୦୧୩ରେ ହୋଇଥିବା କେଦାରନାଥ ବନ୍ୟାରେ ଏହି ଧାମ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ପ୍ରାକୃତିକ ଦୁର୍ବିପାକରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର