ଟିକା ନ ବାହାରିବା ଯାଏଁ ସାମାଜିକ ଦୂରତା ବଜାୟ ରଖନ୍ତୁ, ମାସ୍କ୍‌ ପିନ୍ଧନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ର ପ୍ରତିଷେଧକ ଟିକା ନ ବାହାରିବାଯାଏଁ ସମ‌ସ୍ତଙ୍କୁ ‘ଦୁଇ ଗଜ ଦୂରତା’ ବଜାୟ ରଖିବାକୁ ଏବଂ ‘ଫେସ୍ ମାସ୍କ୍‌’ ପରିଧାନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ କହିଛନ୍ତି।

ଆଜି ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆମେ ସଭିଏଁ ଭଲ ଓ ମନ୍ଦ ପରିସ୍ଥିତି ଦେଇ ଗତି କରିଛନ୍ତି। ଆମ ସାମାଜିକ ଜୀବନରେ ସମସ୍ୟା ରହିଛି। ଏକାବେଳେକେ ସମଗ୍ର ବିଶ୍ବ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବ ବୋଲି କେହି କଳ୍ପନା କରି ନ ଥିଲେ। ସମସ୍ତେ ପ୍ରଭାବିତ ହୋଇଛନ୍ତି ଓ ସମସ୍ତେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେବେ ଏ ରୋଗରୁ ତ୍ରାହି ମିଳିବ ଆମେ ଜାଣନ୍ତି ନାହିଁ। ଟିକା ବାହାରିଲା ପର୍ଯ୍ୟନ୍ତ କରୋନାଭାଇରସ୍ ରୋକିବାକୁ ଆମେ ଜାଣିଥିବା ଗୋଟିଏ କଥା ହେଉଛି- ‘ଦୁଇ ଗଜ ଦୂରତା’ ବଜାୟ ରଖିବା ଓ ‘ଫେସ୍ ମାସ୍କ୍‌’ ପରିଧାନ କରିବା।

Image Courtesy of IND News

ଏହାଛଡ଼ା ପ୍ରଧାନମନ୍ତ୍ରୀ କହିଲେ ଯେ, ଆଜି ମୁଁ ଆପଣମାନଙ୍କ ସହ କର୍ମର କ୍ଷମତା ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଏହି କର୍ମର କ୍ଷମତା‌ ଉପରେ ପର୍ଯ୍ୟବସିତ। ଏହି କ୍ଷମତା ଆତ୍ମ ନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନକୁ ପ୍ରେରିତ କରିଛି। ମୋର ପୂର୍ଣ୍ଣ ବିଶ୍ବାସ ଉତ୍ତର ପ୍ରଦେଶ ଭଳି ଅନ୍ୟ ରାଜ୍ୟମାନେ ମଧ୍ୟ ଏହିଭଳି ଯୋଜନା ଆଣିବେ।

ପ୍ରୟାଗରାଜ, ବାରାଣସୀ, ରାଏବରେଲି, ଅଯୋଧ୍ୟା, ଦେଓରିଆ, ଆମେଠି, ଗାଜିପୁର, ସିଦ୍ଧାର୍ଥନଗର, ଗୋଣ୍ଡା, ମହାରାଜଗଞ୍ଜ, ବରାଇଚ, ବଳରାମପୁର, ଜଉନପୁର, ହାର୍ଦୋଇ, ଆଜମଗଡ଼, ବସ୍ତି, ଗୋରଖପୁର, ସୁଲତାନପୁର, କୁଶିନଗର, ସନ୍ଥ କବୀର ନଗର, ବଣ୍ଡା, ଅମ୍ବେଦକର ନଗର, ସୀତାପୁର, ପ୍ରତାପଗଡ଼, ଲକ୍ଷ୍ମୀପୁର ଖେରି, ଉନ୍ନାଓ, ଶ୍ରାବସ୍ତି, ଫତେପୁର, ମିର୍ଜାପୁର, ଜଲାଉନ୍ ଏବଂ କୌସାମ୍ବି ଆଦି ଉତ୍ତର ପ୍ରଦେଶର ୩୧ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର