ଚଳିତ ବର୍ଷ ଡାକ୍ତରଙ୍କୁ ଭାରତ ରତ୍ନ ଦେବାକୁ ଦାବିକଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଚଳିତବର୍ଷ ଡାକ୍ତରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି। କରୋନା ମହାମାରୀ ବେଳେ ସମ୍ମୁଖ ଭାଗରେ ରହି ଲୋକଙ୍କୁ ‌ସେବା ଯୋଗାଇଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ଏଥିପାଇଁ ବିଚାରକୁ ‌ନିଆଯାଉ ବୋଲି କେଜ୍ରିୱାଲ କହିଛନ୍ତି। ଯେଉଁ ଡାକ୍ତରମାନେ କରୋନାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପାଇଁ ଏହା ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଯେଉଁମାନେ ସେମାନଙ୍କ ଜୀବନ ଓ ପରିବାର କଥା ଚିନ୍ତା ନକରି ଲୋକଙ୍କୁ ସେବା ଯୋଗାଇଛନ୍ତି ସେମାନଙ୍କ ପାଇଁ ଏହା ଏକ ସମ୍ମାନ ହେବ। ଏଥିରେ ସମଗ୍ର ଦେଶ ଖୁସି ବୋଲି କେଜ୍ରିୱାଲ ତାଙ୍କ ଟ୍ବିଟ୍‌ରେ କହିଛନ୍ତି।

ଚଳିତମାସ ୧ ତାରିଖରେ ଡାକ୍ତର ଦିବସ ପାଳନ ବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କର ଅବଦାନର ଢେର୍ ପ୍ରଶଂସା କରିଥିଲେ। କରୋନା ମହାମାରୀ ଦ୍ବାରା ଯେଉଁ ଆହ୍ବାନ ଦେଶକୁ ସମ୍ମୁଖୀନ ହେବାକୁ ପଡ଼ିଛି ଡାକ୍ତରମାନେ ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତା ଆଧାରରେ ତାହା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଇଏମଏର ସୂଚନା ଅନୁଯାୟୀ, କରୋନା ମହାମାରୀର ଦ୍ବିତୀୟ ଲହରରେ ଦେଶରେ ପାଖାପାଖି ୮୦୦ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ରରୁ ଦିଲ୍ଲୀରେ ସର୍ବାଧିକ ୧୨୮ ଜଣ ଏବଂ ବିହାରରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର