ଆସ୍ଥା ଭୋଟ୍‌ ଜିତିଲେ କେଜ୍ରିୱାଲ୍‌: ୩ ବିଜେପି ବିଧାୟକ ପୂରା ଅଧିବେଶନ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଛନ୍ତି। ବିଜେପି ଆପ୍‌ ବିଧାୟକଙ୍କୁ ‌କିଣିବାପାଇଁ ଚେଷ୍ଟା କରୁଛି ଏବଂ ତାଙ୍କ ସରକାର ଭାଙ୍ଗିବାପାଇଁ ଦିଲ୍ଲୀରେ ‘ଅପରେସନ୍‌ ଲୋଟସ୍‌’ ଚଳାଇଛି ବୋଲି କେଜ୍ରିୱାଲ୍‌ ଅଭିଯୋଗ କରିଛନ୍ତି। ତେଣୁ ନିଜ ସମର୍ଥନରେ କେତେଜଣ ବିଧାୟକ ଅଛନ୍ତି ତାହା ପ୍ରମାଣ କରିବାପାଇଁ ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍‌ ହୋଇଥିଲା। ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ସମର୍ଥନରେ ଭୋଟ୍‌ ଦେଇଥିଲେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଧାୟକଙ୍କ ସଂଖ୍ୟା ୬୨। ବିଜେପିର ୮ ଜଣ ବିଧାୟକ ଅଛନ୍ତି। ଅଗଷ୍ଟ ୨୯ ତାରିଖରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆସିଥିଲା। ତେବେ କେଜ୍ରିୱାଲଙ୍କୁ ୫୮ ଜଣଙ୍କ ସମର୍ଥନ ମିଳିବାପରେ କେଜ୍ରିୱାଲ କହିଛନ୍ତି, ସେମାନେ ଦିଲ୍ଲୀରେ ଜ‌ଣେ ମଧ୍ୟ ବିଧାୟକଙ୍କୁ କିଣି ପାରିଲେନି। ଆମ ନିକଟରେ ୬୨ ଜଣ ବିଧାୟକ ଅଛନ୍ତି। ୨ ଜଣ ଦେଶ ବାହାରେ ଅଛନ୍ତି ଏବଂ ଜଣେ ଜେଲ୍‌ରେ ଅଛନ୍ତି। ଚତୁର୍ଥ ସଦସ୍ୟ ଜଣଙ୍କ ଗୃହର ବାଚସ୍ପତି।

ଦିଲ୍ଲୀ ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା। କେଜ୍ରିୱାଲ ଦିଲ୍ଲୀର ମୂଳ ସମସ୍ୟାଗୁଡ଼ିକୁ ଅଣଦେଖା କରି କେବଳ ଡ୍ରାମା କରୁଥିବା ଅଭିଯୋଗ କରି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଫଳରେ ଉପବାଚସ୍ପତି ୩ ଜଣ ବିଜେପି ବିଧାୟକଙ୍କୁ ପୂରା ଅଧିବେଶନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ବିଜେପି ବିଧାୟକମାନେ ଆସ୍ଥା‌ ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣି ତାହା ଉପରେ ଆଲୋଚନା ଚାହିଥିଲେ। କିନ୍ତୁ ଉପବାଚସ୍ପତି ରାକ୍ଷୀ ବିର୍ଲା ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ବିଜେପି ବିଧାୟକଙ୍କ ସହ ତାଙ୍କର ବଚସା ହୋଇଥିଲା‌। ଫଳରେ ଉପବାଚସ୍ପତି ୩ ଜଣ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା, ଅଭୟ ବର୍ମା ଏବଂ ମୋହନ ସିଂହ ବିଷ୍ଟ୍‌ଙ୍କୁ ସମଗ୍ର ଅଧିବେଶନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ଏହାପରେ ଅନ୍ୟ ବିଧା‌ୟକମାନେ କକ୍ଷ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର