୪ ସପ୍ତାହରେ କେରଳ ସଂକ୍ରମଣ ୨୩୩% ବୃଦ୍ଧି, ଦୈନିକ ସଂକ୍ରମଣ କେରଳରେ ସର୍ବାଧିକ

ନୂଆଦିଲ୍ଲୀ: କରୋନାକୁ ସଠିକ୍‌ ଭାବେ ମୁକାବିଲା କରିଥିବାରୁ ଦିନେ ‌କେରଳ ଏଥିପାଇଁ ଆଦର୍ଶ ରାଜ୍ୟ ଭାବେ ପରିଗଣିତ ହୋଇଥିଲା। ଏବେ ସ୍ଥିତି ଓଲଟି ଯାଇଛି ଏବଂ କେରଳର ସଂକ୍ରମଣ ଚିନ୍ତା ବଢ଼ାଇଛି। ଉଭୟ କେରଳ ଏବଂ ପଶ୍ଚିମବଙ୍ଗରେ ମୋଟ୍‌ ସଂକ୍ରମଣ ମାମଲା ୩ ଲକ୍ଷ ଟପିଯାଇଛି। କେରଳରେ ଗତ ସୋମବାର ସଂକ୍ରମଣ କମ୍‌ ଥିଲେ ମଧ୍ୟ ଗତକାଲି ପୁଣି ୮,୭୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଗତ ୭ ମାସ ଧରି ମହାରାଷ୍ଟ୍ରରେ ଦେଶର ଦୈନିକ ସଂକ୍ରମଣ ମାମଲା ସବୁଠୁ ଅଧିକ ରହେ କିନ୍ତୁ ଗତକାଲି ପ୍ରଥମ ଥର ପାଇଁ କେରଳ‌ରେ ଦୈନିକ ସଂକ୍ରମଣ ସବୁଠୁ ଅଧିକ ଥିଲା। ମହାରାଷ୍ଟ୍ରରେ ଗତକାଲି ସଂକ୍ରମଣ ୮ ହଜାର ୫୨୨ ଥିବା‌ବେଳେ କେରଳର ସଂକ୍ରମଣ ୮ ହଜାର ୭୬୪ ରହିଛି।

ଦେଶରେ ସକ୍ରିୟ ମାମଲା ଲଗାତାର ୧୨ ଦିନ ଧରି କମ୍‌ ରହୁଛି। କିନ୍ତୁ କେରଳରେ ଠିକ୍‌ ବିପରୀତ କଥା ଦେଖିବାକୁ ମିଳିଛି। କେରଳରେ ସକ୍ରିୟ ମାମଲା ଲଗାତାର ବଢ଼ୁଛି। ଗତ ୪ ସପ୍ତାହରେ ଦେଶର ସକ୍ରିୟ ମାମଲା ୧୧ ପ୍ରତିଶତ କମିଛି। କିନ୍ତୁ ‌କେରଳରେ ଗତ ୪ ସପ୍ତାହରେ ସକ୍ରିୟ ମାମଲା ୨୩୩ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାରୁ ୧୦ ପ୍ରତିଶତ କେରଳରେ ଚିହ୍ନଟ ହୋଇଛି। କେରଳ ଏବଂ ପଶ୍ଚିମବଙ୍ଗ ଯଥାକ୍ରମେ ସପ୍ତମ ଏବଂ ଅଷ୍ଟମ ରାଜ୍ୟରେ ଭାବେ ସଂକ୍ରମଣ ୩ ଲକ୍ଷ ଟପିଛି। ପୂର୍ବରୁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ସଂକ୍ରମଣ ୩ ଲକ୍ଷ ଟପିଥିଲା।

ସମ୍ବନ୍ଧିତ ଖବର