ବସ୍‌ଷ୍ଟାଣ୍ଡ୍‌ରେ ଭଙ୍ଗା ବେଞ୍ଚ୍‌ ଯୋଗୁଁ ‘ଲ୍ୟାପ୍‌ଟପ୍‌’ ପ୍ରତିବାଦ: ନୂଆ ବସ୍‌‌ଷ୍ଟାଣ୍ଡ୍‌ ପାଇଁ ପ୍ରତିଶ୍ରୁତି ଦେଲେ ମେୟର୍‌

ତିରୁବନନ୍ତପୁରମ୍‌: ୩ ଖଣ୍ଡ ହୋଇ କଟାଯାଇଥିବା ବେଞ୍ଚ୍‌ରେ ଛାତ୍ରଛାତ୍ରୀମାନେ ପରସ୍ପର କୋଳରେ ବସି ଫଟୋ ଉଠାଇ ‘ଲ୍ୟାପ୍‌ଟପ୍‌’ ପ୍ରତିବାଦ କରିବା ପରେ କେରଳର ‘ଗଭର୍ଣ୍ଣମେଣ୍ଟ୍‌ କଲେଜ୍‌ ଅଫ୍‌ ଇଞ୍ଜିନିୟରିଙ୍ଗ୍‌-ତ୍ରିଭାନ୍ଦ୍ରମ୍‌’ (ସିଇଟି) ନିକଟବର୍ତ୍ତୀ ଶ୍ରୀକାର୍ଯ୍ୟମ୍‌ରେ ଥିବା ବସ୍‌ଷ୍ଟାଣ୍ଡ୍‌ଟିକୁ ପୌର କର୍ତ୍ତୃପକ୍ଷମାନେ ଶୁକ୍ରବାର ଦିନ ଉଠାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୋଟିଏ ସିଟ୍‌ରେ ପୁଅ ଓ ଝିଅମାନେ ବସୁଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଯାତ୍ରୀମାନଙ୍କ ପ୍ରତୀକ୍ଷା ନିମନ୍ତେ ଥିବା ଉକ୍ତ ବେଞ୍ଚ୍‌ଟିକୁ କାଟି ୩ ଖଣ୍ଡ କରି ପକାଇଥିଲେ।

ଏ ଘଟଣାର ପ୍ରତିବାଦ କରିବାକୁ ଯାଇ କିଛି ଛାତ୍ରଛାତ୍ରୀ ୩ ଗଡ଼ ହୋଇଥିବା ଉକ୍ତ ବେଞ୍ଚ୍‌ରେ ଜଣେ ଆଉ ଜଣଙ୍କ କୋଳରେ ବସି ଫଟୋ ଉଠାଇଥିଲେ। ଏହି ଦୃଶ୍ୟକୁ ସେମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିବା ପରେ ତାହା ଭାଇରାଲ୍‌ ହୋଇଥିଲା।

Image Courtesy of Focus News

ଭାଇରାଲ୍‌ ଫଟୋ ଦେଖିବା ପରେ ତିରୁବନନ୍ତପୁରମ୍‌ ସହରର ମେୟର୍‌ ଆର୍ଯ୍ୟା ଏସ୍‌. ରାଜେନ୍ଦ୍ରନ୍‌ ଜୁଲାଇ ମାସରେ ଉକ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରି ସେ ଲେଖିଥିଲେ ଯେ, ବେଞ୍ଚ୍‌ଟିକୁ ଯେଉଁ ଭଳି ଭାବେ ୩ ଗଡ଼ କରି କଟା ଯାଇଛି ତାହା କେରଳରେ ଥିବା  ପ୍ରଗତିଶୀଳ ସମାଜ ନିମନ୍ତେ ଖାଲି ଅଶାଳୀନ ନୁହେଁ, ଅସୁନ୍ଦର ମଧ୍ୟ।

ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ଝିଅ ଓ ପୁଅ ଏକାଠି ବସିବା ଉପରେ ନିଷେଧାଜ୍ଞା ଜାରି ହୋଇନାହିଁ। ତେଣୁ, ଯେଉଁମାନେ ଏଭଳି ନୈତିକତାରେ ବିଶ୍ବାସ କରୁଛନ୍ତି ସେମାନେ ଏବେ ମଧ୍ୟ ଆଦିମ ଯୁଗରେ ବସବାସ କରୁଥିବା ପରି ମନେହେଉଛି।

Image Courtesy of Madhyamam

ସେହି ସ୍ଥାନରେ ମହିଳା ଓ ପୁରୁଷଙ୍କୁ ସୁବିଧା ହେବା ଭଳି ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ କରିବା ଲାଗି ତିରୁବନନ୍ତପୁରମ୍‌ ସହରର ମେୟର୍‌ ଆର୍ଯ୍ୟା ଏସ୍‌. ରାଜେନ୍ଦ୍ରନ୍‌ ପ୍ରତିଶ୍ରୁତି ଦେବାର ୨ ମାସ ପରେ ମୁନିସ୍‌ପାଲିଟଇ କର୍ତ୍ତୃପକ୍ଷମାନେ ଉକ୍ତ ଭଙ୍ଗା ବେଞ୍ଚ୍‌ଟିକୁ ହଟାଇ ଦେଇଛନ୍ତି।

ଶାସକ ‘ସିପିଆଇ(ଏମ୍‌)’ର ଯୁବ ସଙ୍ଗଠନ ‘ଡିୱାଇଏଫ୍‌ଆଇ’ ମଧ୍ୟ କହିଥିଲା ଯେ, ବସ୍‌ଷ୍ଟାଣ୍ଡ୍‌ରେ ବେଞ୍ଚ୍‌ ଭାଙ୍ଗିବା ଅସନ୍ତୋଷଜନକ କାର୍ଯ୍ୟ।

ସମ୍ବନ୍ଧିତ ଖବର