ପ୍ରମୋଦଙ୍କୁ ଖେଳରତ୍ନ, ଚାରି ଓଡ଼ିଆ ଗ୍ରହଣ କଲେ ଜାତୀୟ କ୍ରୀଡା ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦିନ ୪ଜଣ ଓଡିଆ କ୍ରୀଡ଼ା ତାରକାଙ୍କୁ ‘ଜାତୀୟ କ୍ରୀଡା ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି। ଖେଳରତ୍ନ ପୁରସ୍କାର ପାଇବ‌ାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡିଆ। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ପୂର୍ବତନ ସନ୍ତରଣ ପ୍ରଶିକ୍ଷକ ତପନ ପାଣିଗ୍ରାହୀ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ କରିଛନ୍ତି।

ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ସର୍ବାଧିକ ୪ଜଣ ଓଡିଆ ଜାତୀୟ କ୍ରୀଡା ପୁରସ୍କାର ପାଇଛନ୍ତି। ଆଜି ସର୍ବମୋଟ ୭୨ କ୍ରୀଡ଼ା ତାରକା ବିଭିନ୍ନ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୧୨ ଖେଳରତ୍ନ ଏବଂ ୩୫ ଅର୍ଜୁନ ପୁରସ୍କାର ବିଜେତା। ‌ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ଆଥଲେଟିକ୍ସ ସ୍ବର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା, ମହିଳା କ୍ରିକେଟର୍‌ ମିତାଲି ରାଜ, ଫୁଟବଲ୍‌ର ସୁନିଲ ଛେତ୍ରୀଙ୍କ ସହ ୧୨ଜଣ ବଛାବଛା କ୍ରୀଡ଼ା‌ବିତ୍‌ଙ୍କୁ ଖେଳରତ୍ନ ପୁରସ୍କାର ମିଳିବା ଏକ ନୂଆ ଘଟଣା ଥିଲା।

ସମ୍ବନ୍ଧିତ ଖବର