କୁମ୍ଭମେଳା ୨୦୧୯:ପ୍ରଥମ ସାହି ସ୍ନାନ ଆଜି

ଦିଗମ୍ବର ଆଖଡ଼ାରେ ଅଗ୍ନିକାଣ୍ଡ:୧୫ ଟେଣ୍ଟ ଭସ୍ମୀଭୂତ

ପ୍ରୟାଗରାଜ: ମଂଗଳବାର ପ୍ରଥମ ସାହି ସ୍ନାନ ସହିତ ମହାକୁମ୍ଭ-୨୦୧୯ ଆରମ୍ଭ ହେଉଛି। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିଛନ୍ତି। କୁମ୍ଭର ଭବ୍ୟ ଆୟୋଜନ ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ହିନ୍ଦୁ ଆସ୍ଥାର ଏହି ସବୁଠାରୁ ବଡ଼ କୁମ୍ଭରେ ସାମିଲ ହେବାପାଇଁ ସାଧୁସନ୍ଥଙ୍କ ମହା ସମାଗମ ହୋଇଛି। ସଂଗମ ତଟରେ ଚାରିପଟେ ଦେଶର ବିଭିନ୍ନ ଆଖଡ଼ାର ଶିବିର ସ୍ଥାପନ ହୋଇଛି। ସରକାର ୧୧ ହଜାର ଶିବିର ସ୍ଥାପନ କରିଛନ୍ତି ଏବଂ ସବୁକିଛି ସୁନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଥମ ସାହି ସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସକାଳ ୬ଟାରେ ସ୍ନାନ ପର୍ବ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହା କୁମ୍ଭର ସବୁଠାରୁ ବଡ଼ ଆକର୍ଷଣ ହେବ। ଏହାପରେ ବୈରାଗୀ ଏବଂ ଉଦାସୀନ ଆଖଡ଼ାର ସନ୍ନ୍ୟାସୀମାନେ ପ୍ରଥମେ ସଂଗମରେ ବୁଡ଼ ପକାଇବେ।


ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ-୨୦୧୯ ଆରମ୍ଭ ହେବାର ‌ଦିନକ ପୂର୍ବରୁ ଦିଗମ୍ବର ଆଖଡ଼ାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପ୍ରାୟ ୧୫ଟି ଟେଣ୍ଟ ଏବଂ ବହୁ ସଂଖ୍ୟାରେ ଯାନବାହନ ଜଳିଯାଇଛି। ମଂଗଳବାର ପ୍ରଥମ ସାହି ସ୍ନାନ ସହିତ ସହିତ କୁମ୍ଭର ଔପଚାରିକ ଆରମ୍ଭ ହେଉଥିବା ବେଳେ ସେକ୍ଟର-୧୬ରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିବା ଏହି ଅଗ୍ନିକାଣ୍ଡ ଆତଙ୍କ ସୃଷ୍ଟି କରିଛି। ଘଟଣାସ୍ଥଳରେ ତୁରନ୍ତ ୬ଟି ଦମକଳ ପହଞ୍ଚିଥିଲା ଏବଂ ମାତ୍ର ୧୦ ମିନିଟ୍‌ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦିଗମ୍ବର ଆଖଡ଼ାର ମହନ୍ତ ଦିବ୍ୟ ଜୀବନ ଦାସ କହିଛନ୍ତି ଯେ ଦମକଳ ବାହିନୀର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଏହି ଘଟଣା ପରେ ବିଭିନ୍ନ ସେକ୍ଟରରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

 

ସମ୍ବନ୍ଧିତ ଖବର