ଭାଙ୍ଗିନାହିଁ ବିକ୍ରମ : ଚନ୍ଦ୍ରପୃଷ୍ଠରେ ଢଳିପଡ଼ିଛି, ସଂପର୍କ ପାଇଁ ଉଦ୍ୟମ ଜୋରଦାର

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସହିତ ଯୋଗାଯୋଗ ସ୍ଥାପନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଉଦ୍ୟମ ଜାରି ରଖିଛି। ଇସ୍ରୋ ପକ୍ଷରୁ ଲ୍ୟାଣ୍ଡରକୁ ଅବତରଣ ପାଇଁ ଯେଉଁ ସ୍ଥାନ ଧାର୍ଯ୍ୟ କରାଯାଇଥିଲା ତାହାର ଅତି ନିକଟରେ ଏହା ଖସି ପଡ଼ିଛି। ଖଣ୍ଡ ଖଣ୍ଡ ନହୋଇ ଗୋଟିଏ ୟୁନିଟ୍ ଭାବେ ଏହା ରହିଛି। ତେବେ ଏହା ସିଧା ନରହି ଢଳି ରହିଛି ବୋଲି ଇସ୍ରୋ ପକ୍ଷରୁ ଆଜି କୁହାଯାଇଛି। ଚନ୍ଦ୍ରଯାନ-୨ ଅର୍ବିଟରର କ୍ୟାମେରା ପଠାଇଥିବା ଫଟୋରୁ ଏହା ଜଣାପଡ଼ିଛି।

ଇସ୍ରୋର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଲ୍ୟାଣ୍ଡରର ସବୁକିଛି ଠିକ୍ ଥିଲେ ହିଁ ଯାଇ ଏହା ସହିତ ଯୋଗାଯୋଗ ସମ୍ଭବ ହୋଇପାରିବ। ତେବେ ଯୋଗାଯୋଗର ସମ୍ଭାବନା କ୍ଷୀଣ। ଯଦି ସୂକ୍ଷ୍ମ ଅବତରଣ ହୋଇଥିବ ଏବଂ ସମସ୍ତ କିଛି କାର୍ଯ୍ୟ କରୁଥିବ ତାହେଲେ ଯୋଗାଯୋଗ ପୁନଃସ୍ଥାପନ କରାଯାଇ ପାରିବ। ଇସ୍ରୋର ଅନ୍ୟ ଜଣେ ବୈଜ୍ଞାନିକ ଲ୍ୟାଣ୍ଡର ସହିତ ଯୋଗାଯୋଗ ସ୍ଥାପନ ଆଶାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଭୂସ୍ଥିର କକ୍ଷରେ ମହାକାଶଯାନ ସହିତ ଯୋଗାଯୋଗ ପୁନଃସ୍ଥାପନ କରିବା ଅଭିଜ୍ଞତା ଇସ୍ରୋର ରହିଛି। ବିକ୍ରମ ଚନ୍ଦ୍ରପୃଷ୍ଠରେ ପଡ଼ି ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏଥିରେ ଥିବା ଆଣ୍ଟିନା ଭୂପୃଷ୍ଠ କେନ୍ଦ୍ର କିମ୍ବା ଅର୍ବିଟର ଦିଗକୁ ମୁହଁ କରିଥିବା ଆବଶ୍ୟକ। ଯଦି ଲ୍ୟାଣ୍ଡରର ଆଣ୍ଟିନା ଭୂପୃଷ୍ଠ କେନ୍ଦ୍ର ଏବଂ ଅର୍ବିଟର ଆଡ଼କୁ ମୁହଁ କରି ରହିଥାଏ ତାହେଲେ ଯୋଗାଯୋଗ ପୁନଃସ୍ଥାପନ କରାଯିବାର ସମ୍ଭାବନା ରହିଛି।

ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ପରିବର୍ତ୍ତେ ଖୁବ୍‌ଜୋରରେ ଏହା ଖସିପଡ଼ିଥିବା ଅନୁମାନ କରାଯାଉଛି। ଲ୍ୟାଣ୍ଡର ବିକ୍ରମ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଛି। ଚନ୍ଦ୍ରପୃଷ୍ଠରେ ପହଞ୍ଚିବାର ୨.୧ କିଲୋମିଟର ଦୂରରୁ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ସମ୍ବନ୍ଧିତ ଖବର