ଏଲଇଟି, ଜେୟୁଡି ଦେଶପ୍ରେମୀ: ମୁସାରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ ଆଜି ଏଲଇଟି (ଲସ୍କର ଏ ତୋଏବା ) ଜେୟୁଡି (ଜମାତ ଉଦ୍‌ ଦାଓ୍ଵା)କୁ ଦେଶପ୍ରେମୀ କହିଛନ୍ତି ଏବଂ ପାକିସ୍ତାନରେ ଶାନ୍ତି ଓ ସୁରକ୍ଷା ଆଣିବାପାଇଁ ସେ ସେମାନଙ୍କ ସହ ମେଣ୍ଟ ଗଢ଼ିବାପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ୭୪ ବର୍ଷୀୟ ଅବସରପ୍ରାପ୍ତ ଜେନେରାଲ ଗତମାସରେ ହାଫିଜ ପାକିସ୍ତାନ ଗୃହବନ୍ଦୀରୁ ମୁକ୍ତ ହେବାପରେ କହିଥିଲେ ଯେ ସେ ଏଲଇଟି ଏବଂ ଏହାର ପ୍ରତିଷ୍ଠାତା ହାଫିଜ ସୟିଦର ବଡ଼ ସମର୍ଥକ। ଏଲଇଟି ଏବଂ ଜେୟୁଡି ସଦସ୍ୟମାନେ ଦେଶପ୍ରେମୀ। ସେମାନେ ପାକିସ୍ତାନ ଏବଂ କଶ୍ମୀର ପାଇଁ ପ୍ରାଣବଳି ଦେଇଛନ୍ତି। ଏହି ଦୁଇଟି ଗୋଷ୍ଠୀ ପ୍ରତି ବିପୁଳ ଜନ ସମର୍ଥନ ରହିଛି। ତେଣୁ ସେମାନେ ଏକାଠି ଏକ ମେଣ୍ଟ ଗଢ଼ିଲେ ଏହାକୁ କେହି ବିରୋଧ କରିପାରିବେନି ବୋଲି ମୁସାରଫ ଦୃଢ଼ୋକ୍ତି ବାଢ଼ିଛନ୍ତି। ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଏଲଇଟି ନିଷିଦ୍ଧ ହୋଇଥିବାବେଳେ ୨୦୧୪ ଜୁନ୍‌ରେ ଆମେରିକା ଜେୟୁଡିକୁ ବିଶ୍ୱ ଆତଙ୍କବାଦୀ ଅନୁଷ୍ଠାନ ଭାବେ ଘୋଷଣା କରିଥିଲା। ଗତମାସରେ ମୁସାରଫ ୨୩ ରାଜନୈତିକ ଦଳକୁ ନେଇ ମହାମେଣ୍ଟ ଗଠନ କରୁଛନ୍ତି ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର